୧ଟା ନୁହେଁ, ଏଣିକି ରାତି ୩ଟା ପର୍ଯ୍ୟନ୍ତ ମିଳିବ ମଦ; ଏହି ରାଜ୍ୟର ସରକାର ନେଲେ ବଡ଼ ନିଷ୍ପତ୍ତି…ଲୋକଙ୍କୁ ମିଳିବ ରିହାତି

ନୂଆ ଅବକାରୀ ନୀତି ୨୦୨୨ ଲାଗୁ ହେବା ପରଠାରୁ ଦିଲ୍ଲୀ ସରକାର ନିଜ ରାଜସ୍ୱ ବୃଦ୍ଧିକୁ ନେଇ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଏବେ ଦେଶର ରାଜଧାନୀ ଦିଲ୍ଲୀରେ ବାର୍ ଖୋଲା ରହିବାର ସମୟକୁ ନେଇ ବଡ଼ ନିଷ୍ପତ୍ତି ହୋଇଛି। ଦିଲ୍ଲୀ ସରକାର ଏ ସମ୍ପର୍କରେ ଏକ ନୀତିଗତ ନିର୍ଣ୍ଣୟ ନେଇଛନ୍ତି, ଯାହା ଅନୁସାରେ, ବାର୍ ସଞ୍ଚାଳକମାନଙ୍କୁ ରାତି ୧ଟା ନୁହେଁ, ବରଂ ବିଳମ୍ବିତ ରାତି ୩ଟା ପର୍ଯ୍ୟନ୍ତ ମଦ ପରସିବାକୁ ଅନୁମତି ଦିଆଯିବ।
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ସରକାର ଅବକାରୀ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ଅବକାରୀ ନୀତି ୨୦୨୧-୨୨ ଅନୁସାରେ ଖୁବ୍ଶୀଘ୍ର ଏହି ଆଦେଶ ଜାରି ହେବାର ସମ୍ଭାବନା ରହିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ରେସ୍ତୋରାଁରେ ଥିବା ବାର୍ଗୁଡ଼ିକୁ ବର୍ତ୍ତମାନ ରାତି ୧ଟା ପର୍ଯ୍ୟନ୍ତ ସଞ୍ଚାଳନ କରିବାକୁ ଅନୁମତି ରହିଛି। ଯଦି ସମୟ ରାତି ୩ଟା ପର୍ଯ୍ୟନ୍ତ ବଢ଼ାଯାଏ, ତା’ ହେଲେ ଅବକାରୀ ବିଭାଗ ପୋଲିସ ସହ ଅନ୍ୟ ଏଜେନ୍ସିମାନଙ୍କ ସହିତ ମିଶି କାମ କରିବ।
ସୂଚନାଥାଉ କି, ନଭେମ୍ବର ୨୦୨୧ରୁ ଲାଗୁ ହୋଇଥିବା ନୂଆ ଅବକାରୀ ନୀତିରେ ସୁପାରିଶ୍ କରାଯାଇଛି ଯେ ବାର୍ ସଞ୍ଚାଳନ ସମୟକୁ ପଡ଼ୋଶୀ ସହରଗୁଡ଼ିକର ବରାବର ଅଣାଯାଇ ପାରିବ। ଏନ୍ସିଆର ସହର, ହରିୟାଣାର ଗୁରୁଗ୍ରାମ ଏବଂ ଫରିଦାବାଦରେ ବାର୍କୁ ବିଳମ୍ବିତ ରାତି ୩ଟା ପର୍ଯ୍ୟନ୍ତ ଖୋଲିବାର ଅନୁମତି ରହିଛି। ଯଦିଓ ଉତ୍ତର ପ୍ରଦେଶର ନୋଏଡା ଓ ଗାଜିଆବାଦରେ ବାର୍ଗୁଡ଼ିକ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହୁଛି।
ରାଜଧାନୀ ଦିଲ୍ଲୀରେ ପାଖାପାଖି ୫୫୦ ସ୍ୱତନ୍ତ୍ର ରେସ୍ତୋରାଁ ରହିଛି, ଯାହା ଅବକାରୀ ବିଭାଗଠାରୁ L-17 ଲାଇସେନ୍ସ ନେଇ ଭାରତୀୟ ଏବଂ ବିଦେଶୀ ବ୍ରାଣ୍ଡର ମଦ ପରସୁଛନ୍ତି। ପୂର୍ବରୁ ହିଁ ୧୫୦ରୁ ଅଧିକ ହୋଟେଲ ଏବଂ ମୋଟଲ ରେସ୍ତୋରାଁରେ ୨୪ ଘଣ୍ଟା ମଦ ପରସିବାର ଅନୁମତି ରହି ଆସିଛି। ଏମିତି ରେସ୍ତୋରାଁକୁ ଅବକାରୀ ବିଭାଗ ଦ୍ୱାରା L-16 ଲାଇସେନ୍ସ ଦିଆଯାଇଥାଏ।
ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଇଣ୍ଡିଆ (NRIA)ର ଅଧ୍ୟକ୍ଷ କବୀର ସୁରୀ ଏହି ପଦକ୍ଷେଦକୁ ସ୍ୱାଗତ କରି କହିଛନ୍ତି ଯେ ‘ଆମେ ଦିଲ୍ଲୀ ସରକାରଙ୍କୁ ଯୋଗାଯୋଗ କରି ଏହି ଦାବି କରିଥିଲୁ ଯେ ବାର୍ ଖୋଲା ରଖିବାର ସମୟକୁ ରାତି ୩ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଉ। କାହିଁକି ନା, ଅବକାରୀ ନୀତିରେ ଏ ନେଇ ସୁପାରିଶ୍ କରାଯାଇଛି’। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ରାଜସ୍ୱ ଜୁଟାଇବା ପାଇଁ ମଦ ଉପରେ ରିହାତି ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।