ଏବେ ଆଇନ ଅନ୍ଧ ନୁହେଁ, ସୁପ୍ରିମକୋର୍ଟ ନ୍ୟାୟମୂର୍ତ୍ତିଙ୍କ ଆଖିରୁ ଖୋଲିଲା କଳାପଟି

ଆପଣ ପ୍ରାୟତଃ ଫିଲ୍ମ ସିରିଜରେ ଦେଖିଥିବେ ଯେ କୋର୍ଟରେ ଥିବା ‘ନ୍ୟାୟ ଦେବୀ’ ପ୍ରତିମୂର୍ତ୍ତିଙ୍କ ଆଖିରେ କଳା ପଟି ବନ୍ଧା ହୋଇଥାଏ, କିନ୍ତୁ ଏବେ ରହି ପ୍ରତିମୂର୍ତ୍ତିରେ ହୋଇଛି ବଡ଼ ଧରଣର ପରିବର୍ତ୍ତନ । ସୁପ୍ରିମକୋର୍ଟ ନ୍ୟାୟ ଦେବୀଙ୍କ ଆଖିରୁ ଖୋଲିଲା କଳା ପଟି । ଭାରତର ସୁପ୍ରିମକୋର୍ଟ ବିଚାରପତିମାନଙ୍କ ପାଠାଗାରରେ ଥିବା ‘ନ୍ୟାୟ ଦେବୀ’ଙ୍କ ପ୍ରତିମୂର୍ତ୍ତିରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଥିବା ଦେଖାଯାଇଛି । ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ଆଖିରେ ଲାଗିଥିବା କଳା କପଡ଼ାକୁ ହଟାଇ ଦିଆଯାଇଛି ।
ସେହିପରି ବାମ ହାତରେ ଖଣ୍ଡା ପରିବର୍ତ୍ତେ ଭାରତୀୟ ସମ୍ବିଧାନ ରଖାଯାଇଛି । କିନ୍ତୁ ଡାହାଣ ହାତରେ ପୂର୍ବ ଭଳି ନ୍ୟାୟ ତରାଜୁ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ନୂତନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ୨୦୨୩ ଏପ୍ରିଲରେ ବିଚାରପତିଙ୍କ ନୂତନ ପାଠାଗାର ନିକଟରେ ସ୍ଥାପନ କରାଯାଇଥିଲା । କିନ୍ତୁ ଏବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ‘ନ୍ୟାୟଦେବୀ’ଙ୍କ ପୂର୍ବର ପ୍ରତିମୂର୍ତ୍ତିରେ ଆଖିରେ ପଟି ବନ୍ଧା ଏହା ଆଇନ ସମ୍ମୁଖରେ ସମସ୍ତେ ସମାନ ବୋଲି ଦର୍ଶାଉଥିଲା । ଅର୍ଥାତ ଅଦାଲତ ବିନା ଭେଦଭାବରେ ରାୟ ଶୁଣାଇବେ ।
ଏଥି ସହିତ ଅନ୍ୟାୟକୁ ଦଣ୍ଡଦେବା ତଥା ଶକ୍ତିର ପ୍ରତୀକ ଥିଲା ଖଣ୍ଡା । କିନ୍ତୁ ଏବେ ସୁପ୍ରିମକୋର୍ଟ ବିଚାରପତିଙ୍କ ପାଠଗାରରେ ନ୍ୟାୟଦେବୀଙ୍କ ନୂଆ ପ୍ରତିମୂର୍ତିର ଆଖି ଖୋଲା ରହିଛି ଏବଂ ବାମ ହାତରେ ସମ୍ବିଧାନ ରହିଛି । ଏକବିଂଶ ଶତାବ୍ଦୀର ନୂତନ ଭାରତରେ ଅନେକ ନୂତନ ନିୟମ ପ୍ରଣୟନ କରାଯାଉଛି ଏବଂ ପୁରୁଣା ବ୍ରିଟିଶ ନିୟମଗୁଡ଼ିକ ପରିବର୍ତ୍ତନ କରାଯାଉଛି । ଆଜିକାଲି ସରକାର ଅନେକ ପୁରୁଣା ନିୟମକୁ ପରିବର୍ତ୍ତନ କରିଛନ୍ତି କିମ୍ବା ରଦ୍ଦ କରିଛନ୍ତି । ବର୍ତ୍ତମାନ ବ୍ରିଟିଶ ଯୁଗର ପରମ୍ପରାକୁ ଛାଡି ଭାରତୀୟ ନ୍ୟାୟପାଳିକା ମଧ୍ୟ ଏକ ନୂତନ ରୂପ ଗ୍ରହଣ କରିବା ଆରମ୍ଭ କରିଛି ।
ମିଡିଆ ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି DY ଚନ୍ଦ୍ରଚୁଡ଼ଙ୍କ ନିର୍ଦ୍ଦେଶରେ ଏହି ନୂତନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ସେ ବିଶ୍ୱାସ କରନ୍ତି ଯେ ଆଇନ ଅନ୍ଧ ନୁହେଁ, ଆମେ ବ୍ରିଟିଶ ପରମ୍ପରାଠାରୁ ଆଗକୁ ବଢିବା ଉଚିତ୍ । ବର୍ତ୍ତମାନ ସମୟ ଆସିଯାଇଛି ଯେ ଆମେ ‘ନ୍ୟାୟ ଦେବୀ’ଙ୍କ ସ୍ୱରୂପ ପରିବର୍ତ୍ତନ କରିବା ଉଚିତ୍ । ସେ କହିଛନ୍ତି ‘ନ୍ୟାୟ ଦେବୀ’ଙ୍କ ଆଖି ବନ୍ଦ ରହିବ ଉଚିତ ନୁହେଁ, କାରଣ ଆଇନ ଅନ୍ଧ ନୁହେଁ । ଏହା ସହିତ, ହାତରେ ଖଣ୍ଡା ରହିବା ଉଚିତ୍ ନୁହେଁ, କାରଣ ଏହା ହିଂସାର ପ୍ରତୀକ ।
ସମ୍ବିଧାନ ଅନୁଯାୟୀ ନ୍ୟାୟପାଳିକା ନ୍ୟାୟ ପ୍ରଦାନ କରେ, ତେଣୁ ‘ନ୍ୟାୟ ଦେବୀ’ଙ୍କ ହାତରେ ସମ୍ବିଧାନ ରହିବା ଉଚିତ୍ । ଅନ୍ୟ ହାତରେ ତରାଜୁ ରହିବା ସଠିକ୍, କାରଣ ନ୍ୟାୟପାଳିକା ସମସ୍ତଙ୍କ ପାଇଁ ସମାନ ଭାବରେ ବିଚାର କରନ୍ତି । ସୂଚନାଯୋଗ୍ୟ, ଯେଉଁ ପ୍ରତିମୂର୍ତ୍ତିକୁ ଆମେ ନ୍ୟାୟ ଦେବୀଙ୍କ ରୂପରେ ଦେଖୁଥିଲୁ, ସେହି ପ୍ରତିମୂର୍ତ୍ତିକୁ ଅଷ୍ଟାଦଶ ଶତାବ୍ଦୀରେ ଜଣେ ବ୍ରିଟିଶ ଅଧିକାରୀ ଗ୍ରୀସରୁ ଆଣିଥିଲେ । ନ୍ୟାୟର ଏହି ଦେବୀ ଗ୍ରୀସର ପ୍ରାଚୀନ ଦେବୀ ଏବଂ ତାଙ୍କ ନାମ ହେଉଛି ଜଷ୍ଟିୟା ।
ସେଠାରେ ଏହି ଦେବୀ ସେମାନେ ନ୍ୟାୟର ପ୍ରତୀକ ଭାବରେ ବ୍ୟବହୃତ ହୁଅନ୍ତି । ତାଙ୍କ ଆଖିରେ ଥିବା କଳା ପଟିର ଅର୍ଥ ହେଉଛି ସେ ନିରପେକ୍ଷ ଭାବରେ ନ୍ୟାୟ ପ୍ରଦାନ କରିବେ, କାରଣ ଯଦି ତାଙ୍କ ଆଖି ଖୋଲା ଥାଏ, ତେବେ ନ୍ୟାୟ କ୍ଷେତ୍ରରେ ପକ୍ଷପାତିତା ହୋଇପାରେ । ସ୍ୱାଧୀନତା ପରେ, ଆମେ ଏହି ପ୍ରତିମୂର୍ତ୍ତିକୁ ‘ନ୍ୟାୟ ଦେବୀ’ ବୋଲି ମାନ୍ୟତା ଦେଇଥିଲୁ । ଯେଉଁଥିରେ ଏବେ ବଡ଼ ପରିବର୍ତ୍ତନ କରାଯାଇଛି ।