ନିଟ୍-ୟଜି ପରୀକ୍ଷା ଫଳ ପ୍ରକାଶିତ, ଏମିତି ଚେକ୍ କରନ୍ତୁ

ନିଟ-ୟୁଜି ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ପ୍ରକାଶ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ exams.nta.ac.in/NEET କୁ ଯାଇ ନିଜର ସ୍କୋର ଡାଉନଲୋଡ କରିପାରିବେ ।
ସୁପ୍ରିମକୋର୍ଟରେ ଅନେକ ଯାଚିକା ଦାଖଲ ହେବାପରେ ନିଟ୍ ପରୀକ୍ଷାଫଳ ସିଟି ଏବଂ ସେଣ୍ଟର ଓ୍ଵାଇଜ ଜାରି କରିବାକୁ କୁହାଯାଇଥିଲା । ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି. ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଗଠିତ ବେଞ୍ଚ ଏହି ଶୁଣାଣି କରିଛନ୍ତି । ଶୁଣାଣି ବେଳେ ସୁପ୍ରିମକୋର୍ଟ ଏନ୍ଟିଏ (NTA)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ନିଟ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କସ୍କୁ ନିଜର ୱେବସାଇଟରେ ପ୍ରକାଶ କରାଯାଉ ଏବଂ ଛାତ୍ରଛାତ୍ରୀଙ୍କ ପରିଚୟ ଗୋପନ ରଖାଯାଉ । କୋର୍ଟ ଏନଟିଏକୁ ୨୦ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଥିଲେ ।
କେମିତି ଚେକ୍ କରିବେ :
– ଫଳାଫଳ ଚେକ୍ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ ।
– ଏହାପରେ ହୋମ ପେଜରେ NEET UG resut 2024 ଲିଙ୍କରେ କ୍ଲିକ୍ କରନ୍ତୁ ।
– ଏହାପରେ ପରୀକ୍ଷାର୍ଥୀ ଲଗ୍ଇନ ବିବରଣୀ ଦାୟର କରିବା ପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ ।
– ପ୍ରାର୍ଥୀ ରେଜଲ୍ଟ ଚେକ୍ କରି ପେଜ୍ ଡାଉନଲୋଡ କରନ୍ତୁ ।
– ଶେଷରେ ଦରକାର ପାଇଁ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ସୂଚନାଯୋଗ୍ୟ, ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି । ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରି ୬୦ ଜଣଙ୍କୁ ଗିରଫ କରିସାରିଲାଣି ।
ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୨୪ ଲକ୍ଷ ପିଲା ଭାଗ ନେଇଥିଲେ । ନିଟ୍ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା । ଏହାପରେ NTA ପକ୍ଷରୁ CBIକୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା ।