ୟୁକ୍ରେନ୍ ଉପରେ ପରମାଣୁ ହମଲା କଲେ ପରିଣାମ ହେବ ଭୟଙ୍କର, ରୁଷ୍କୁ ବାଇଡେନଙ୍କ ଚେତାବନୀ

କେନ୍ୟୁଜ୍(ବ୍ୟୁରୋ):ପୁଟିନଙ୍କୁ ପୁଣି ଥରେ ଚେତେଇଲେ ବାଇଡେନ୍ । ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ର ବ୍ୟବହାର କରିବା ମସ୍କୋର ଅବିଶ୍ୱସନୀୟ ଓ ମସ୍ତବଡ଼ ଭୁଲ ହେବ । ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କଲେ ପରିଣାମ ଭୟଙ୍କର ହେବ ବୋଲି ରୁଷକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ୍ । ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ର ଆକ୍ରମଣ ପାଇଁ ଆଳ ଖୋଜୁଛି ରୁଷ୍ ।
ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର ଅନୁମାନ କରୁଛନ୍ତି, ରୁଷ୍ ୟୁକ୍ରେନରେ ଡର୍ଟି ବମ୍ ହମଲା ଯୋଜନା କରୁଥିବା ବେଳେ ଏଥିପାଇଁ ୟୁକ୍ରେନକୁ ଦୋଷୀ କରିବାକୁ ଚାହୁଁଛି । ଏହାଦ୍ୱାରା ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ର ବ୍ୟବହାରକୁ ଯଥାର୍ଥ ଦର୍ଶାଇ ପାରିବ । ଏଭଳି ଉଦ୍ୟମ ରୁଷର୍ ମସ୍ତବଡ଼ ଭୁଲ୍ ହେବ ବୋଲି ବାଇଡେନ୍ ଚେତେଇ ଦେଇଛନ୍ତି । ପୂର୍ବରୁ ବିଭିନ୍ନ ସମୟରେ ଆଣବିକ ଅସ୍ତ୍ର ବ୍ୟବହାର ନେଇ ଧମକ ଦେଇଛନ୍ତି ପୁଟିନ୍ । ଆମେରିକା ଓ ନାଟୋ ପୂର୍ବରୁ ରୁଷକୁ ଚେତେଇ ଦେଇଛନ୍ତି ଯେ, ୟୁକ୍ରେନ ଉପରେ ଆଣବିକ ଅସ୍ତ୍ରର ବ୍ୟବହାର ହେଲେ ସେମାନେ କଡ଼ା ଜବାବ ଦେବେ ।