ଚାରିଧାମ ଯାତ୍ରାରେ ଆଉ ହେବନି ଭିଡ, ଦିନକୁ ଦର୍ଶନ କରିପାରିବେ ୧୨ ହଜାର ଶ୍ରଦ୍ଧାଳୁ

ଚାରିଧାମ ଯାତ୍ରା ସମୟରେ ଶ୍ରଦ୍ଧାଳୁ ଆଉ ଯେପରି କୌଣସି ଭିଡର ସମ୍ମୁଖୀନ କରିବେ ନାହିଁ। ଆଉ ମାତ୍ର ଦୁଇଦିନ ପରେ ଚାରିଧାମ ଯାତ୍ରା ଆରମ୍ଭ ହେବ। ଯାହା ପାଇଁ ଉତ୍ତରାଖଣ୍ଡ ସରକାର ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧାର୍ଯ୍ୟ କରିଛନ୍ତି। ବଦ୍ରିନାଥ, କେଦାରନାଥ, ଗଙ୍ଗେତ୍ରୀ ଏବଂ ୟମୁନୋତ୍ରୀ ପାଇଁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧାର୍ଯ୍ୟ କରାଯାଇଛି। ମେ ୩ ତାରିଖ ମଙ୍ଗଳବାର ଦିନ ଚାରଧାମ ଯାତ୍ରା ଶୁଭାରମ୍ଭ ହେବାକୁ ଯାଉଛି।

ଏଥିଲାଗି ରାଜ୍ୟ ସରକାର ଚାରଧାମ ଯାତ୍ରା ଲାଗି ଦିନକୁ ଶ୍ରଦ୍ଧାଳୁ ସଂଖ୍ୟା ଧାର୍ଯ୍ୟ କରିଦେଇଛନ୍ତି। ଯାତ୍ରା ଲାଗି କରାଯାଇଥିବା ନିୟମରେ ଦୈନିକ ୧୫ ହଜାର ଯାତ୍ରୀ ବଦ୍ରିନାଥଙ୍କ ଦର୍ଶନ କରିପାରିବେ। ସେହିପରି କେଦାରନାଥ ୧୨ ହଜାର ଓ ଗଙ୍ଗୋତ୍ରୀକୁ ଦୈନିକ ୭ ହଜାର ଯାତ୍ରୀ ପହଞ୍ଚି ପାରିବେ। ଯମୁନେତ୍ରୀରେ ଦିନକରେ ୪ ହଜାର ଯାତ୍ରୀଙ୍କୁ ପୂଜାର୍ଚ୍ଚନା ଓ ଦର୍ଶନ ଅନୁମତି ମିଳିପାରିବ ବୋଲି କୁହାଯାଇଛି।

ଖବର ମୁତାବକ, ଏହି ବ୍ୟବସ୍ଥା ଆଗାମୀ ୪୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। କରୋନା ମହାମାରୀ ବ୍ୟାପିବାର ୨ ବର୍ଷ ପରେ ପ୍ରଥମ କରି ଚାରଧାମ ଯାତ୍ରା ଆୟୋଜନ ହେଉଛି। ଏଣୁ ଚଳିତବର୍ଷ ବହୁ ସଂଖ୍ୟାରେ ଲୋକେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଦର୍ଶନ କରିବେ ବୋଲି ଆଶା କରାଯାଉଛି। ମେ ୩ ତାରିଖ ଦିନ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ କବାଟ ଖୋଲା ସହ ଚାରଧାମ ଯାତ୍ରା ଆରମ୍ଭ ହୋଇଯିବ।

କେଦାରନାଥ ଧାମର କବାଟ ୬ ମେ ଅର୍ଥାତ୍‌ ଶୁକ୍ରବାର ଖୋଲିବ। ସେହିପରି ବଦ୍ରିନାଥ କବାଟ ୮ ମେ ରବିବାର ସକାଳ ୬ଟା ବେଳେ ଖୋଲିବ। ଗଙ୍ଗୋତ୍ରୀ ଧାମ କବାଟ ୩ ମେ ମଙ୍ଗଳବାର ମଧ୍ୟାହ୍ନ ୧୧ଟା ୧୫ ମିନିଟରେ ଖୋଲିବ। ୟମୁନେତ୍ରୀ କବାଟ ମଧ୍ୟ ସେହିଦିନ ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ଖୋଲିବ ବୋଲି ପୂର୍ବରୁ ଧାର୍ଯ୍ୟ କରାଯାଇଛି।

chardham
photo credit: Shrine Yatra

 

କେଦାରନାଥ ପାଇଁ ଫାଟା, ନାରାୟଣୀକୋଟି, ସେରସି, ସୋନପ୍ରୟାଗ, ଜାଖଧାର ହେଲିପ୍ୟାଡରୁ ଉଡାଣ ଭରାଯିବ। ସେହିପରି କେଦାରନାଥ ଉଡାଣ ପାଇଁ ଆର୍ଯ୍ୟନ ଆଭିଏସନ, ପବନ ହଂସ, ଏରୋ ଏୟାର କ୍ରାଫ୍ଟ, ଚିପସନ ଆଭିଏସନ, ଥମ୍ପ ଆଭିଏସନ, ପିନାକଲ୍ଲ ଏୟାରକ୍ରାଫ୍ଟ, ହିମାଳୟନ ହେଲି, କ୍ରିଷ୍ଟଲ ଆଭିଏସନ ଉଡାଣ ଭରିବ।

ଚାରିଧାମ ଯାତ୍ରା ସମୟରେ ଲୋକଙ୍କର ଭେରିଫିକେସନ ବିଷୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଉତ୍ତରାଖଣ୍ଡ ଶାନ୍ତ ରାଜ୍ୟ ଏବଂ ସରକାର ଚାରିଧାମ ଯାତ୍ରାକୁ ନେଇ ପ୍ରସ୍ତୁତ ରହିଛନ୍ତି। ଧର୍ମ ଏବଂ ସଂସ୍କୃତି ରକ୍ଷା କରିବା ସରକାରଙ୍କ ଦାୟିତ୍ୱ। ଚାରିଧାମ ଯାତ୍ରା ସମୟରେ ରାଜ୍ୟକୁ କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ପ୍ରବେଶ ନିଷେଧ। ତେଣୁ ତୀର୍ଥ ପାଇଁ ଆସୁଥିବା ସମସ୍ତଯାତ୍ରୀଙ୍କ ପାଇଁ ଭେରିଫିକେସନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.