ଆଦୌ କାମ ଦେଉନି ଫାଇଜର ଭ୍ୟାକ୍‌ସିନ୍‌, ଟିକା ନେବାର ୩ ସପ୍ତାହ ପରେ ଆଉ ଜଣେ ନର୍ସଙ୍କୁ କରୋନା

କାମ ଦେଉନି ଫାଇଜର ଟିକା। ପୁଣିଥରେ ଫାଇଜର ଟିକାକୁ ନେଇ ଆସିଛି ଅଭିଯୋଗ। ଆମେରିକା ପରେ ଏବେ ବ୍ରିଟେନ୍‌ରୁ ଆସିଛି ଏହି ସାଂଘାତିକ ଅଭିଯୋଗ। ଫାଇଜର ଟିକା ଲଗାଇବାର ତିନି ସପ୍ତାହ ପରେ ବ୍ରିଟେନ୍‌ର ଜଣେ ନର୍ସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫାଇଜର ଟିକା ୯୫ ପ୍ରତିଶତ କାମ ଦେଉଥିବା କମ୍ପାନୀ ଦାବି କରୁଥିବା ବେଳେ ପ୍ରକୃତରେ କିନ୍ତୁ ଏହା ଫେଲ୍‌ ମାରିଛି।

ବ୍ରିଟେନ୍‌ର ବେଲ୍ସର ବାସିନ୍ଦା ନର୍ସଙ୍କ କହିବାନୁସାରେ ସେ ଫାଇଜର ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟିକା ନେବାକୁ ଅପେକ୍ଷା କରିଥିବା ବେଳେ ତାଙ୍କଠାରେ କରୋନା ଭାଇରସ୍‌ ଲକ୍ଷଣ ପ୍ରକାଶ ପାଇଥିଲା। ଏହା ପରେ ଟେଷ୍ଟ କରିବାରୁ ସେ କରୋନା ପଜିଟିଭ୍‌ ଥିବା ଜାଣିବାକୁ ପାଇଥିଲେ। ତେବେ ଭ୍ୟାକ୍‌ସିନ୍‌ ଲଗାଇବା ପରେ ବି ତାଙ୍କୁ କରୋନା ହୋଇଥିବା କଥା ତାଙ୍କୁ ଖୁବ୍‌ ବ୍ୟଥିତ କରିଛି ବୋଲି ନର୍ସ ଜଣକ କହିଛନ୍ତି।

ଟିକା ନେବା ପରେ ସେ ଆଉ ସଂକ୍ରମଣର ଶିକାର ହେବେନି ଭାବି ଖୁସି ହୋଇପଡ଼ିଥିଲେ। ମାତ୍ର ଏହା ନକଲି ଥିଲା। କମ୍ପାନୀ ତରଫରୁ ତାଙ୍କୁ କୁହାଯାଇଥିଲା ଯେ ଟିକା ନେବାର ୧୦ ଦିନ ପରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଯିବେ। ମାତ୍ର ସବୁ ପ୍ରତିଶ୍ରୁତି ମିଛ ଥିଲା ବୋଲି କହିଛନ୍ତି ନର୍ସ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଆମେରିକାର କାର୍ଲିଫର୍ଣ୍ଣିଆରେ ଫାଇଜର ଭ୍ୟାକ୍‌ସିନ୍‌ ନେଇଥିବା ଜଣେ ନର୍ସଙ୍କୁ ଏକ ସପ୍ତାହ ପରେ କରୋନା ହୋଇଥିଲା। ମାତ୍ର ଏକ୍ସପର୍ଟଙ୍କ କହିବାନୁସାରେ, ଭ୍ୟାକସିନ୍‌ ଲଗାଇବା ପରେ ଇମ୍ୟୁନିଟି ସୃଷ୍ଟି ହେବାକୁ ସମୟ ଲାଗିପାରେ। ଏହି କାରଣରୁ ଲୋକଙ୍କୁ ଟିକାକରଣ ପରେ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ପାଳନ କରିବାକୁ କୁହାଯାଉଛି।