ନର୍ସ ଶିରା ଜାଗାରେ ଧମନୀରେ ଦେଇଦେଲେ ଇଞ୍ଜେକ୍ସନ; କଟେଇବାକୁ ପଡ଼ିଲା ହାତ…ଶେଷରେ ଭାଙ୍ଗିଗଲା ବାହାଘର

ବିହାରର ପାଟନାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନର୍ସଙ୍କ ଅସାବଧାନତା ହେତୁ ଏଠାରେ ଜଣେ ଯୁବତୀ କେବଳ ନିଜ ହାତ ହରାଇ ନାହାନ୍ତି, ବରଂ ନଭେମ୍ବରରେ ହେବାକୁ ଥିବା ତାଙ୍କ ବିବାହ ମଧ୍ୟ ଭାଙ୍ଗି ଯାଇଛି। ଖବରରୁ ଜଣାପଡ଼ିଛି ଯେ ଗତ ଜୁଲାଇ ୧୧ରେ କାନ ଅପରେସନ ପାଇଁ ଜଣେ ଯୁବତୀ ଆସିଥିଲେ, ହେଲେ ହସ୍ପିଟାଲରେ ନର୍ସ ଜଣକ ତାଙ୍କ ଶିରା ବଦଳରେ ଧମନୀରେ ଇଞ୍ଜେକ୍ସନ ଦେଇ ଦେଇଥିଲେ, ଯେଉଁ କାରଣରୁ ଯୁବତୀଙ୍କ ହାତ ଧୀରେ ଧୀରେ ତରଳିବାକୁ ଲାଗିଥିଲା।

ଯୁବତୀ ହାତରେ ହେଉଥିବା ସମସ୍ୟା ଏବଂ ଯନ୍ତ୍ରଣା ବିଷୟରେ ତୁରନ୍ତ ଡାକ୍ତରଙ୍କୁ ଜଣାଇଥିଲେ, କିନ୍ତୁ ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ, ଓଲଟା ତାଙ୍କୁ ଡାକ୍ତରଖାନାରୁ ବାହାର କରି ଦେବାକୁ ଧମକ ଦେଇଥିଲେ।

ଏହାପରେ ବିଭିନ୍ନ ହସ୍ପିଟାଲ ଦୌଡ଼ିବା ପରେ ଶେଷରେ ଅଗଷ୍ଟ ୧୨ରେ ଯୁବତୀଙ୍କୁ ନିଜ ଜୀବନ ରକ୍ଷା ପାଇଁ ପାଟନାସ୍ଥିତ ଏକ ହସ୍ପିଟାଲରେ ହାତ କଟେଇବାକୁ ପଡ଼ିଥିଲା। କହି ରଖୁଛୁ, ଯୁବତୀଙ୍କ ନାଁ ରେଖା କୁମାର। ତାଙ୍କର ତିନି ଭାଇ ଏବଂ ତିନି ଭଉଣୀ ଅଛନ୍ତି। ଏଥି ସହିତ ତାଙ୍କ ବାପା ଗତ ୧୮ ବର୍ଷ ହେବ ମାନସିକ ରୂପେ ଭିନ୍ନକ୍ଷମ ଅଛନ୍ତି।

ସେପଟେ ଏହି ଘଟଣା ପରେ ପରିବାର ଲୋକେ ଯେତେବେଳେ ଏ ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ, ତ ସେଠାରେ ସେମାନଙ୍କୁ ମନା କରି ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ପଞ୍ଜୀକୃତ ହୋଇନାହିଁ।

Leave A Reply

Your email address will not be published.