ବିହାରରେ ନର୍ସରୀ ଛାତ୍ର ବ୍ୟାଗ୍ରେ ବନ୍ଧୁକ ରଖି ଯାଇଥିଲେ ସ୍କୁଲ, ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାରିଲେ ଗୁଳି

ବିହାରର ସୁପୋଲ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଲାଲପଟ୍ଟି ଅଞ୍ଚଳରେ ଏକ ବେସରକାରୀ ବିଦ୍ୟାଳୟର ଜଣେ ନର୍ସରୀ ଛାତ୍ର ୩ୟ ଶ୍ରେଣୀ ଛାତ୍ରଙ୍କୁ ଗୁଳି ମାରିଛନ୍ତି । ୧୦ ବର୍ଷର ଏହି ଛାତ୍ରଙ୍କ ହାତରେ ଗୁଳି ବାଜିବାରୁ ଛାତ୍ର ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ୫ ବର୍ଷର ପିଲା ନିଜ ବ୍ୟାଗ୍ରେ ବନ୍ଧୁକ ଲୁଚାଇ ଆଣିଥିଲେ । ସ୍କୁଲରେ ସେ ୧୦ ବର୍ଷର ଜଣେ ଛାତ୍ରଙ୍କୁ ଗୁଳି ମାରିଥିଲେ । ଏହି ଘଟଣା ପରେ ସ୍କୁଲରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ୫ ବର୍ଷର ପିଲା ପାଖରେ ବନ୍ଧୁକ କେଉଁଠି ଆସିଲା, ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।
ପୋଲିସ ଅଧୀକ୍ଷକ ଶୈଶବ ଯାଦବ କହିଛନ୍ତି, ନର୍ସରୀ ଛାତ୍ର ୧୦ ବର୍ଷର ଛାତ୍ରଙ୍କୁ ଗୁଳି ମାରିଛନ୍ତି । ୧୦ ବର୍ଷର ଛାତ୍ର ସେହି ସ୍କୁଲରେ ୩ୟ ଶ୍ରେଣୀରେ ପାଠ ପଢ଼ନ୍ତି । ତାଙ୍କ ହାତରେ ଗୁଳି ବାଜିଛି । ଆହତ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।