ଟାଇମ୍ସ ପତ୍ରିକା ଓଡ଼ିଶାର ମୟୂରଭଞ୍ଜକୁ ବିଶ୍ୱର ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ କଲା ସାମିଲ, ଭାରତର ଲଦାଖକୁ ମିଳିଲା ୩୧ତମ ସ୍ଥାନ
ଟାଇମ୍ସ ପତ୍ରିକା ୨୦୨୩ ବର୍ଷ ପାଇଁ ବିଶ୍ୱର ମହାନତମ ସ୍ଥାନଗୁଡ଼ିକର ବାର୍ଷିକ ତାଲିକା ଜାରି କରିଛି। ୫୦ ସ୍ଥାନ ଥିବା ଏହି ତାଲିକାରେ ଭାରତର ଲଦାଖ ଏବଂ ଓଡ଼ିଶାର ‘ମୟୂରଭଞ୍ଜ ଜିଲ୍ଲା’କୁ ସାମିଲ କରାଯାଇଛି। ଲଦାଖକୁ ତାଲିକାରେ ୩୧ତମ ଏବଂ ମୟୂରଭଞ୍ଜକୁ ୩୨ତମ ସ୍ଥାନରେ ରଖାଯାଇଛି।

ଟାଇମ୍ସ ପତ୍ରିକା ୨୦୨୩ ବର୍ଷ ପାଇଁ ବିଶ୍ୱର ମହାନତମ ସ୍ଥାନଗୁଡ଼ିକର ବାର୍ଷିକ ତାଲିକା ଜାରି କରିଛି। ୫୦ ସ୍ଥାନ ଥିବା ଏହି ତାଲିକାରେ ଭାରତର ଲଦାଖ ଏବଂ ଓଡ଼ିଶାର ‘ମୟୂରଭଞ୍ଜ ଜିଲ୍ଲା’କୁ ସାମିଲ କରାଯାଇଛି। ଲଦାଖକୁ ତାଲିକାରେ ୩୧ତମ ଏବଂ ମୟୂରଭଞ୍ଜକୁ ୩୨ତମ ସ୍ଥାନରେ ରଖାଯାଇଛି।
ଶ୍ରେଷ୍ଠ ୧୦ରେ କାନାଡାର ଦୁଇଟି ଏବଂ ଫ୍ରାନ୍ସ ଓ ଉତ୍ତର ଆମେରିକାର ଗୋଟିଏ ଲେଖାଏ ସ୍ଥାନକୁ ଜାଗା ମିଳିଛି। ଟାଇମ୍ସ ପତ୍ରିକା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାକୁ ବିରଳ ବାଘ ଏବଂ ପ୍ରାଚୀନ ମନ୍ଦିର ସହିତ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ମନୋରମ ସ୍ଥାନ ଭାବରେ ବର୍ଣ୍ଣନା କରାଯାଇଛି।
ବିଶ୍ୱର ମହାନତମ ସ୍ଥାନଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ପାଇଁ ଟାଇମ୍ସ ନିଜର ନେଟ୍ଓ୍ଵାର୍କ ଜରିଆରେ ରୋମାଞ୍ଚକ ଅନୁଭବ ପ୍ରଦାନ କରୁଥିବା ସ୍ଥାନର ନାମାଙ୍କନ ମାଗିଥିଲା। ସେଥିରୁ ଶ୍ରେଷ୍ଠ ୫୦ଟି ସ୍ଥାନକୁ ଚୟନ କରାଯାଇଛି।
ମୟୂରଭଞ୍ଜ ବିଷୟରେ ବର୍ଣ୍ଣନା କରି ଟାଇମ୍ସ ପତ୍ରିକା କହିଛି ଯେ ବିରଳ କଳାବାଘ ଦେଖିବା ପାଇଁ ଏହା ବିଶ୍ୱର ଏକମାତ୍ର ସ୍ଥାନ। ଏଠାକାର ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନରେ କଳାବାଘ ବ୍ୟତୀତ ଆହୁରି ବି ଅନେକ ଜୀବଜନ୍ତୁ ଅଛନ୍ତି। ଚଳିତ ବର୍ଷ ଏପ୍ରିଲ ମାସରେ ଏଠାରେ ପ୍ରସିଦ୍ଧ ମୟୂରଭଞ୍ଜ ଛଉ ନୃତ୍ୟ ଉତ୍ସବ ଆୟୋଜନ ହେବ, ଯାହା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ରହିଛି।
ସେହିପରି ଲଦାଖ ତିବ୍ଦତୀୟ ବୌଦ୍ଧ ସଂସ୍କୃତି ସମ୍ପନ୍ନ ସ୍ଥାନ। ଏଠାରେ ଭାରତ ଚଳିତ ବର୍ଷ ଲେହ ଠାରୁ ପାଖାପାଖି ୧୬୮ ମାଇଲ୍ ଦକ୍ଷିଣ-ପୂର୍ବରେ ହନଲେ ଗାଁରେ ନିଜର ପ୍ରଥମ ଡାର୍କ ସ୍କାଇ ରିଜର୍ଭ ବି ନାମକରଣ କରିଥିଲା। ଏହା ବ୍ୟତୀତ ଏଠାରେ ପ୍ରସିଦ୍ଧ ଭୋଜନାଳୟ କରୀମ୍ ଏବଂ ନାଥୁ ମିଠା ଆଉଟ୍ଲେଟ୍ ମଧ୍ୟ ଖୋଲାଯାଇଛି। ଲେହଠାରୁ ପାଖାପାଖି ୫ ଘଣ୍ଟାର ବାଟ ତୁରତୁକ ଗାଁର କିଷାନ୍ ହାଉସ୍ କାଫେ ବି ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ କରୁଛି। ତେବେ କହି ରଖୁଛୁ, ଏହି ତାଲିକାରେ ଆମେରିକାର ଫ୍ଲୋରିଡାର ଟାମ୍ପାକୁ ପ୍ରଥମ ସ୍ଥାନ ମିଳିଛି।