ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋଷୀ ସାବ୍ୟସ୍ତ; ୨୬ ମେ’ରେ ଦଣ୍ଡ ଘୋଷଣା…

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌଟାଲାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏବେ କୋର୍ଟ ଚୌଟାଲାଙ୍କ ଦଣ୍ଡ ଉପରେ ଆସନ୍ତା ମେ’ ୨୬ରେ ଶୁଣାଣି କରିବେ, ଅର୍ଥାତ୍‌ ଏହି ଦିନ ଦଣ୍ଡ ଘୋଷଣା କରାଯିବ। ଏଥି ପୂର୍ବରୁ ମେ’ ୧୯ରେ କୋର୍ଟ ଏହି ମାମଲାରେ ନିଜ ରାୟକୁ ସଂରକ୍ଷିତ ରଖିଥିଲେ। କୋର୍ଟରେ ଶନିବାର ଶୁଣାଣି ସମୟରେ ପୂର୍ବତନ ସିଏମ୍‌ ଉପସ୍ଥିତ ଥିଲେ।

ଏହି ମାମଲାରେ ସିବିଆଇ ୨୦୧୦, ମାର୍ଚ୍ଚ ୨୬ରେ ଚୌଟାଲାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ତାଙ୍କୁ ୧୯୯୩ରୁ ୨୦୦୬ ମଧ୍ୟରେ ଆୟଠୁ ଅଧିକ ୬.୦୯ କୋଟି ସମ୍ପତ୍ତି ଠୁଳ କରିବାରେ ଦାୟୀ କରାଯାଇଥିଲା। ୨୦୧୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓମ୍‌ ପ୍ରକାଶ ଚୌଟାଲାଙ୍କ ୩ କୋଟି ୬୮ ଲକ୍ଷର ସମ୍ପତ୍ତିକୁ ଜବତ କରିଥିଲା। ଏହି ସମ୍ପତ୍ତି ନୂଆଦିଲ୍ଲୀ, ପଞ୍ଚକୂଲା ଏବଂ ସିର୍‌ସାରେ ଠାବ ହୋଇଥିଲା।

ଜେବିଟି ଦୁର୍ନୀତିରେ ମଧ୍ୟ ମିଳିଥିଲେ ଦୋଷୀ

ଓମ୍‌ ପ୍ରକାଶ ଚୌଟାଲାଙ୍କୁ ୨୦୧୩ ଜେବିଟି ଦୁର୍ନୀତିରେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଗତବର୍ଷ ଜୁଲାଇ ୨ରେ ହିଁ ସେ ଦଣ୍ଡ ପୂରଣ କରି ଜେଲ୍‌ରୁ ବାହାରିଥିଲେ। ସୂଚନାଥାଉ କି, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଟାଲା ଇଣ୍ଡିଆନ ନ୍ୟାସନାଲ୍‌ ଲୋକଦଳର ମଧ୍ୟ ସୁପ୍ରିମୋ ଅଛନ୍ତି। ସେ ୮୭ ବର୍ଷ ବୟସରେ ୧୦ମ ଏବଂ ଦ୍ୱାଦଶ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.