ୟୁକ୍ରେନ୍‌ର ଅନୁରୋଧ ରକ୍ଷା କରି ସହାୟତା ଯୋଗାଇଲେ ଏଲନ୍‌ ମସ୍କ, ମହାକାଶରୁ ପଠାଇଲେ ସାହାଯ୍ୟ

ରୁଷ ଆକ୍ରମଣର କଡ଼ା ମୁକାବିଲା କରୁଥିବା ୟୁକ୍ରେନ୍‌କୁ ସାହାଯ୍ୟ କରିବା ପାଇଁ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଆଗକୁ ଆସିଛନ୍ତି। ସେ ୟୁକ୍ରେନ୍‌ର ଅନୁରୋଧ ରକ୍ଷା କରି ସିଧାସଳଖ ମହାକାଶରୁ ସାହାଯ୍ୟ ପଠାଇଛନ୍ତି। ରୁଷ ପକ୍ଷରୁ ସାଇବର ଆକ୍ରମଣରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସମେତ ପୂର୍ବ ଓ ଦକ୍ଷିଣ ସହରରେ ଇଣ୍ଟରନେଟ୍‌ ସେବା ଡାଉନ୍‌ ହୋଇଯାଇଥିଲା। ଏହା ପରେ ୟୁକ୍ରେନ୍‌ ଏଲନ୍‌ ମସ୍କଙ୍କୁ ସାହାଯ୍ୟ ମାଗିଥିଲା। ୟୁକେନ୍‌ର ଅନୁରୋଧ ପରେ ଏଲନ୍‌ ମସ୍କ ତୁରନ୍ତ ନିଜ ଷ୍ଟାରଲିଙ୍କ୍‌ ସର୍ଭିସକୁ ୟୁକ୍ରେନ୍‌ରେ ଆକ୍ଟିଭ୍‌ କରିଛନ୍ତି।

ୟୁକ୍ରେନ୍‌ର ଉପ ପ୍ରଧାନମନ୍ତ୍ରୀ ମୟଖେଲୋ ଫେଦୋରୋଭ୍‌ ଟ୍ଵିଟ୍‌ କରି ଏଲନ୍‌ ମସ୍କଙ୍କୁ ସାହାଯ୍ୟ ମାଗିଥିଲେ। ସେ ଟ୍ଵିଟ୍‌ କରି କହିଥିଲେ, ରୁଷ ପକ୍ଷରୁ ଆମକୁ ଲଗାତାର ସାଇବର ଆଟାକ୍‌ କରାଯାଉଛି। ଆମକୁ ତୁରନ୍ତ ଆପଣଙ୍କ ସାହାଯ୍ୟ ଦରକାର। ଫୋଦୋରୋଭ୍‌ କହିଥିଲେ- ମସ୍କ ଆପଣଙ୍କ ରକେଟ୍‌ ସଫଳତାପୂର୍ବକ ମହାକାଶରୁ ପୃଥିବୀରେ ଲ୍ୟାଣ୍ଡ୍‌ କରୁଥିବା ବେଳେ ରୁଷ ରକେଟ୍‌ ୟୁକ୍ରେନ୍‌ର ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରୁଛି। ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆମକୁ ୟୁକ୍ରେନ୍‌ରେ ଷ୍ଟାରଲିଙ୍କ୍‌ ଷ୍ଟେସନ୍‌ର ସେବା ଯୋଗାନ୍ତୁ। ଫଳରେ ଆମେ ରୁଷକୁ ସାମ୍ନା କରିପାରିବୁ।


ଏହି ଟ୍ଵିଟ୍‌ ପରେ ଏଲନ୍‌ ମସ୍କ ମହାନତା ଦେଖାଇ ତୁରନ୍ତ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ସେ ୟୁକ୍ରେନର ନେତାଙ୍କ ପକ୍ଷରୁ କରାଯାଇଥିବା ଏହି ଟ୍ଵିଟ୍‌ରେ ରି-ଟ୍ଵିଟ୍‌ କରି ଲେଖିଛନ୍ତି- ଷ୍ଟାରଲିଙ୍କ୍‌ ସର୍ଭିସ ଏବେ ୟୁକ୍ରେନ୍‌ରେ ଆକ୍ଟିଭ୍‌ ଅଛି। କେତେକ ଅନ୍ୟ ଟର୍ମିନାଲ ରାସ୍ତାରେ ଅଛି।


ସୂଚନାଯୋଗ୍ୟ ଯେ ରୁଷର ସେନା ଦେଶର ଦ୍ୱିତୀୟ ବଡ଼ ସହ ଖାରକିଭ୍‌ରେ ପ୍ରବେଶ କରିସାରିଲାଣି। ଏବେ ଦେଶରେ ରୁଷ ସେନା ପକ୍ଷରୁ ଧ୍ୱଂସଲୀଳା ଜାରି ରହିଛି। ଧୀରେ ଧୀରେ ରୁଷ ସେନା ପୂରା ୟୁକ୍ରେନ୍‌କୁ କବ୍‌ଜା କରିବାକୁ ଆଗକୁ ବଢ଼ୁଛି। ତଥାପି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଅସ୍ତ୍ର ଛାଡ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି। ସେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି।