ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା; ୧୪ ଜଗାରେ ଠାକୁରଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ବାଂଲାଦେଶରେ ପୁଣିଥରେ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଦୁର୍ବୃତ୍ତମାନେ ଗୋଟିଏ କି ଦୁଇଟି ନୁହେଁ, ଏକାବେଳେ ୧୪ଟି ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଏ ନେଇ ସୂଚନା ମିଳିବା କ୍ଷଣି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ପଶ୍ଚିମ-ଉତ୍ତର ବାଂଲାଦେଶରେ ଅଜଣା ଦୁର୍ବୃତ୍ତମାନେ ଶନିବାର ରାତି ଏବଂ ରବିବାର ସକାଳେ ପୂର୍ବ ଯୋଜନା ମୁତାବକ ୧୪ଟି ହିନ୍ଦୁ ମନ୍ଦିରରେ ପଶି ଭଙ୍ଗାରୁଜା କରିଛନ୍ତି। ସେମାନେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦେଇଛନ୍ତି।

ଘଟଣା ସମ୍ପର୍କରେ ଜଣେ ହିନ୍ଦୁ ସମ୍ପ୍ରଦାୟର ନେତା ବିଦ୍ୟନାଥ ବର୍ମନ କହିଛନ୍ତି ଯେ ଦୁର୍ବୃତ୍ତମାନେ ଅନ୍ଧାର ରାତିର ସୁଯୋଗ ନେଇ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ କରିଥିଲେ ଏବଂ ୩ଟି ଗୋଷ୍ଠୀ ୧୪ଟି ମନ୍ଦିରରେ ଠାକୁରମାନଙ୍କ ମୂର୍ତ୍ତି ଭାଙ୍ଗି ଦେଇଥିଲେ।

ବର୍ମନ କହିଛନ୍ତି, ମନ୍ଦିରଗୁଡ଼ିକରେ କିଛି ମୂର୍ତ୍ତି ଭଙ୍ଗାରୁଜା ଅବସ୍ଥାରେ ମିଳିଥିବା ବେଳେ ଆଉ କିଛି ମୂର୍ତ୍ତି ମନ୍ଦିର ପୋଖରୀ ଭିତରୁ ମିଳିଥିଲା। ବର୍ତ୍ତମାନ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। କିନ୍ତୁ ଏହି ମାମଲାର ସଠିକ୍‌ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।