ଜମ୍ମୁ-କାଶ୍ମୀରର ରାଜୌରି ଜିଲ୍ଲାରେ ଏକ ସେନା ଗାଡ଼ି ଗଭୀର ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ସେନାର ଲେଫ୍ଟନାଣ୍ଟ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ଖବର ପାଇ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଉଦ୍ଧାରକର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଆହତ ଅବସ୍ଥାରେ ସମସ୍ତ ୪ ଜଣ କମାଣ୍ଡୋଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସା ସମୟରେ ଲେନ୍ସ ନାୟକ ବଲଜିତ୍ ସିଂଙ୍କର ମୃତ୍ୟୁ ଘଟିଥିଲା ।
ସେନାର ଜଣେ ଅଧିକାରୀ କହିଛନ୍ତି, ଜମ୍ମୁ-କାଶ୍ମୀରର ରାଜୌରି ଜିଲ୍ଲାରେ ମଙ୍ଗଳବାର ରାତିରେ ସେନା ଗାଡ଼ି ରାସ୍ତାରୁ ଖସି ଗଭୀର ଖାଇରେ ପଡ଼ିଯାଇଥିଲା । ଏଥିରେ ସମସ୍ତ ୪ ଜଣ କମାଣ୍ଡୋ ଆହତ ହୋଇଥିଲେ । ଏହି ଦୁର୍ଘଟଣା ସୀମାବର୍ତ୍ତୀ ଜିଲ୍ଲାର ମଞ୍ଜାକୋଟ ଅଞ୍ଚଳରେ ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ସେନା ଗାଡ଼ି ଭାଙ୍ଗି ଚୁର୍ମାର ହୋଇଯାଇଛି ।
ଆହତମାନଙ୍କ ମଧ୍ୟରୁ ଲେଫ୍ଟନାଣ୍ଟ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଭାରତୀୟ ସେନାର ଜିଓସି ହ୍ୱାଇଟ୍ ନାଇଟ୍ କର୍ପସ୍ ମୃତ କମାଣ୍ଡରଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛି । କର୍ପସ୍ ଏ ନେଇ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛି ଯେ ‘ରାଜୌରିର ମଞ୍ଜାକୋଟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଆତଙ୍କବାଦ ବିରୋଧୀ ଡ୍ୟୁଟି ସମୟରେ ଦୁର୍ଘଟଣାରେ ଜୀବନ ହରାଇଥିବା ସାହସୀ ଥିଲେ ଆପଣ । ଆମେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ’ ।