ଗୋଟିଏ ଦିନର ରାଣୀ : ୧୭ ଜଣ ଝିଅ ଦିନକ ପାଇଁ ବନିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ସେମାନେ ୧୭ ଜଣ । ସେମାନଙ୍କୁ ଦିନକ ପାଇଁ ଏକ ମର୍ଯ୍ୟାଦାଜନକ ପଦବିରେ ଅବସ୍ଥାପିତ କରାଯାଇଥିଲା । ଏଇକଥା ସୂଚାଇବା ପାଇଁ ଯେ ସେମାନେ ଏଭଳି ପଦବି ପାଇଁ ଯୋଗ୍ୟ । ସେମାନଙ୍କ ଭିତରେ ପ୍ରତିଭା ରହିଛି । ତେବେ ଦୁଃଖର କଥା ହେଉଛି ସେମାନଙ୍କୁ ଉଚିତ ସୁଯୋଗ ମିଳୁନାହିଁ । ଏଇ ୧୭ ଜଣ ଝିଅଙ୍କୁ ଜାତିସଂଘ ପକ୍ଷରୁ ଗୋଟିଏ ଦିନ ପାଇଁ ଅନ୍ୟ ଦେଶର ହାଇକମିଶନର ଭାବେ ଭାରତରେ ଅବସ୍ଥାପିତ କରାଯାଇଥିଲା । ଆଜି ଜାତିସଂଘ ତରଫରୁ ପାଳନ କରାଯାଇଛି ବିଶ୍ବ ବାଳିକା ଦିବସ । ଏହି ଅବସରରେ ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ କ୍ଷେତ୍ରରେ କାମ କରୁଥିବା ୧୭ ଜଣ ବାଳିକାଙ୍କୁ ଉତ୍ସାହିତ କରିବା ଏବଂ ବାଳିକା ଯେ ଅଲୋଡ଼ା ନୁହେଁ ସେକଥା ଦର୍ଶାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା ।

esha-bahal

ଉତ୍ତରାଖଣ୍ଡର ଏକ ଆଦିବାସୀ ଗାଁର ୧୯ ବର୍ଷ ବୟସ୍କା ଛାତ୍ରୀ ପରୀଙ୍କୁ କରାଯାଇଥିଲା କାନାଡ଼ାର ହାଇକମିଶନର । ସେ ନାରୀ ଶିକ୍ଷା ଉପରେ କାମ କରନ୍ତି । ସେହିପରି ଦିଲ୍ଲୀ ନୋଏଡା ବିଶ୍ବବିଦ୍ୟାଳୟର ଛାତ୍ରୀ ଇଶା ବହଲ ବ୍ରିଟିଶ୍ ହାଇକମିଶନର ହୋଇଥିଲେ । ୧୮ରୁ ୨୩ ବର୍ଷ ବୟସର ଝିଅମାନଙ୍କୁ ନେଇ ଏକ ପ୍ରତିଯୋଗିତା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇ ଇଶା ପାଇଥିଲେ ଏହି ସୁଯୋଗ । ‘ତୁମ ବିଚାରରେ ଲିଙ୍ଗଗତ ସମାନତା କଣ’ ପ୍ରସଙ୍ଗରେ ଏହି ପ୍ରତିଯୋଗିତା କରାଯାଇଥିଲା ।

pari

ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ଛାତ୍ରୀ ଶାଳିନୀଙ୍କୁ ୟୁରୋପିଆନ୍ ୟୁନିୟନର ଆମ୍ବାସଡର କରାଯାଇଥିଲା । ତାଙ୍କୁ ମାତ୍ର ୨୦ ବର୍ଷ ବୟସ । ତେବେ ଶାଳିନୀ ୧୩ ବର୍ଷ ବୟସରୁ ଶିଶୁ ଅଧିକାର ଉପରେ କାମ କରୁଛନ୍ତି । ସେହିପରି ବିହାରର ୨୨ ବର୍ଷ ବୟସ୍କା ବେବି କୁମାରୀ ନାବାଳିକା ବା ବାଲ୍ୟ ବିବାହ ବିରୋଧରେ ଅଭିଯାନ ଚଳାଇଛନ୍ତି । ମୁମ୍ବାଇର ଲଳିତ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ବାଳିକାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ବଲିଉଡ୍ ଷ୍ଟାର ଅନିଲ କପୁର ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.