ଅକ୍ଷୟ ତୃତୀୟାରୁ ଚାରିଧାମ ଯାତ୍ରା ଆରମ୍ଭ, ଘରେ ବସି ପୂଜା ପାଇଁ କରନ୍ତୁ ଅନଲାଇନ ବୁକିଂ, ଜାଣନ୍ତୁ କେମିତି

ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ୩୦ ଏପ୍ରିଲ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବାକୁ ଯାଉଛି । ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ସକାଳ ୧୦ଟା ୩୦ ମିନିଟରେ ଖୋଲିବ । ସେହିପରି କେଦାରନାଥ ଧାମ କପାଟ ଭକ୍ତଙ୍କ ପାଇଁ ମଇ ୨ ତାରିଖ ସକାଳ ୭ଟାରେ ଖୋଲିବ । ଏଥିପାଇଁ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ଆରମ୍ଭ ହୋଇଛି । ଯାତ୍ରା ସହିତ ପୂଜା କରିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ମଧ୍ୟ ହେଉଛି ।

କେଦାରନାଥ ଏବଂ ବଦ୍ରିନାଥରେ ଅନଲାଇନ ପୂଜା ପାଇଁ ୧୦ ଏପ୍ରିଲରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯେଉଁ ଶ୍ରଦ୍ଧାଳୁ ଘରେ ରହିଛି କେଦାରନାଥ ଏବଂ ବଦ୍ରିନାଥଙ୍କ ପୂଜା କରିବାକୁ ଚାହୁଁଛନ୍ତି, ସେମାନେ ବଦ୍ରିକେଦାର ମନ୍ଦିର ସମିତିର ୱେବସାଇଟ badrinathkedarnath.gov.in କୁ ଯାଇ ଅନଲାଇନ ପୂଜା ବୁକ୍ କରିପାରିବେ । ବୁକ୍ କରିବା ପରେ ଅନଲାଇନ ପୂଜା କରିବା ଲୋକଙ୍କ ନାମରେ ପୂଜା ହେବ । ଏହାସହିତ ଘରର ଠିକଣା ଅନୁସାରେ କେଦାରନାଥ ଏବଂ ବଦ୍ରିନାଥ ଧାମର ପ୍ରସାଦ ମଧ୍ୟ ପଠାଯିବ ।

କେମିତି କରିବେ ବୁକିଂ :

ପ୍ରଥମେ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
ଏହାପରେ ଲଗ୍ଇନ୍ କରନ୍ତୁ ।
ଏହାପରେ ପୂଜା, ପାଠ, ଭୋଗ ଇତ୍ୟାଦି ଚୟନ କରନ୍ତୁ ।
ପୂଜା ଯାହା ନାମରେ ହେବ ତାଙ୍କ ବିବରଣୀ ପ୍ରଦାନ କରନ୍ତୁ ।
ଶେଷରେ ପୂଜା ପାଇଁ ଅନଲାଇନ ପଇସା ଜମା କରିବା ପରେ ରସିଦ ଡାଉନଲୋଡ କରନ୍ତୁ ।

ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହୋଇଛି । ଗତବର୍ଷ ଚାରିଧାମ ଯାତ୍ରାରେ ୪୬ ଲକ୍ଷରୁ ଅଧିକ ଲୋକ ଯାଇଥିଲେ । ଗତଥର ଯାତ୍ରା ଆରମ୍ଭ ପୂର୍ବରୁ ପଞ୍ଜିକରଣରେ ସମସ୍ୟା ଆସିଥିଲା । ଆଉ ଯେଉଁମାନେ ବିନା ପଞ୍ଜିକରଣରେ ଯାଇଥିଲେ, ସେମାନେ ସମସ୍ୟା ଭୋଗିଥିଲେ ।

ତେଣୁ ଏଥର ୬୦ ପ୍ରତିଶତ ଅନଲାଇନ ଏବଂ ୪୦ ପ୍ରତିଶତ ଅଫଲାଇନ ରେଜିଷ୍ଟ୍ରେସନ ହେଉଛି । ଅଫଲାଇନ ରେଜିଷ୍ଟ୍ରେସନ ଯାତ୍ରା ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ହେବ । ଆଉ ଅନଲାଇନ ରେଜିଷ୍ଟ୍ରେସନ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡ ସରକାରଙ୍କ ସରକାରୀ ୱେବସାଇଟ୍ registrationandtouristcare.uk.gov.in ରେ ଅନଲାଇନ୍ ପଞ୍ଜୀକରଣ କରାଯିବ ।

ଯାତ୍ରା ମାର୍ଗକୁ ଛୋଟ ଛୋଟ ସେକ୍ଟରରେ ବିଭକ୍ତ କରାଯିବ ଏବଂ ପ୍ରତି ୧୦ କିଲୋମିଟରରେ ପୋଲିସ ମୁତୟନ ରହିବେ । ଅତିରିକ୍ତ ପୋଲିସ ଫୋର୍ସ ସହିତ ଡ୍ରୋନ୍ ଏବଂ ହେଲିକପ୍ଟର ମାଧ୍ୟମରେ ମଧ୍ୟ ନଜର ରଖାଯିବ । ଅତ୍ୟାବଶ୍ୟକ ଯାତ୍ରୀଙ୍କ ପାଇଁ ମାଗଣା ଖାଦ୍ୟ ସହ ରହିବାର ମଧ୍ୟ ବ୍ୟବସ୍ଥା କରାଯିବ ।

Also Read : ଏପ୍ରିଲ ୩୦ରୁ ଚାରିଧାମ ଯାତ୍ରା ଆରମ୍ଭ, ଅନଲାଇନ ଏବଂ ଅଫଲାଇନ ରେଜିଷ୍ଟ୍ରେସନ ଖୁବଶୀଘ୍ର ଆରମ୍ଭ