ଭଗବାନ ବିଷ୍ଣୁଙ୍କ ତୃତୀୟ ଅବତାର ‘ବରାହ’ଙ୍କୁ ପୂଜିଥିବା ଲୋକଙ୍କୁ କେବଳ ମିଳିବ ଗରବାରେ ପ୍ରବେଶ ଅନୁମତି । ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳରେ ସ୍ଥାନୀୟ ଏକ ଦକ୍ଷିଣପନ୍ଥୀ ହିନ୍ଦୁ ସଙ୍ଗଠନ ଏହି ଦାବି କରିଛି । ସଙ୍ଗଠନ କହିଛି ଯେ ଗରବା ଆୟୋଜକମାନେ କେବଳ ସେହି ଲୋକମାନଙ୍କୁ ଏଣ୍ଟ୍ରି ପରମିଶନ ଦେବା ଉଚିତ୍, ଯେଉଁମାନେ ‘ବରାହ’ଙ୍କୁ ପୂଜା କରିଛନ୍ତି, ଯାହା ଦ୍ୱାରା କି, ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଏଥିରୁ ଦୂରେଇ ରଖାଯାଇ ପାରିବ ।
ଏହା ପୂର୍ବରୁ ମଧ୍ୟ ପ୍ରଦେଶର ଜଣେ ବିଜେପି ନେତା ଦାବି କରିଥିଲେ ଯେ ଗରବା ନୃତ୍ୟରେ ଭାଗ ନେବାକୁ ଇଚ୍ଛୁକ ଲୋକଙ୍କ ପାଇଁ ‘ଗୋମୁତ୍ର’ ପିଇବା ବାଧ୍ୟତାମୂଳକ ହେବା ଉଚିତ୍ ।
ଏବେ ଭୋପାଳରେ ସଂସ୍କୃତି ବଞ୍ଚାଅ ମଞ୍ଚ ପକ୍ଷରୁ ଦାବି କରାଯାଇଛି, ଗରବା ଆୟୋଜକମାନେ ପେଣ୍ଡାଲର ପ୍ରବେଶ ଦ୍ୱାରରେ ବରାହଙ୍କ ଫଟୋ ଲଗାନ୍ତୁ । ଏଠାରେ ‘ବରାହ’ଙ୍କୁ ପୂଜା କରିବା ପରେ ହିଁ କୌଣସି ବ୍ୟକ୍ତିଙ୍କୁ ପେଣ୍ଡାଲରେ ପ୍ରବେଶ ଅନୁମତି ଦେବା ଉଚିତ୍ । ସଙ୍ଗଠନ ଏହା ମଧ୍ୟ କହିଛି, ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ପଞ୍ଚଗଭ୍ୟ ଦିଆଯିବା ଉଚିତ୍, ଯେଉଁଥିରେ ଗୋମୂତ୍ର, ଗୋବର, କ୍ଷୀର, ଦହି ଓ ଘିଅ ମିଶିଥାଏ ।
ଏହି ସର୍ତ୍ତଗୁଡ଼ିକ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ପ୍ରବେଶକୁ ଅଟକାଇବ, କାରଣ, ସେମାନେ ବରାହ ଅବତାରକୁ ଅପବିତ୍ର ବୋଲି ମାନନ୍ତି । କେବଳ ସନାତନ ଧର୍ମକୁ ବିଶ୍ୱାସ କରୁଥିବା ଲୋକେ ହିଁ ପଞ୍ଚଗଭ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହେବେ । ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରି ଉତ୍ସବ ।