ଜଗଦୀପ ଧନଖଡ଼ଙ୍କ ବିରୋଧରେ ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ । ସୂତ୍ରରୁ ପ୍ରକାଶ ଯେ ୫୦ରୁ ଅଧିକ ସାଂସଦ ଏହି ପ୍ରସ୍ତାବରେ ଦସ୍ତଖତ କରିଛନ୍ତି । ଉପରାଷ୍ଟ୍ରପତି ଧନଖଡ଼ଙ୍କର ଗୃହ କାର୍ଯ୍ୟକୁ ପରିଚାଳନା କରିବାର ଶୈଳୀ ଏବଂ ବିରୋଧୀ ନେତାମାନଙ୍କ ପ୍ରତି ତାଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ପ୍ରସ୍ତାବକୁ ଆଗକୁ ନେବା ପାଇଁ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମସି), ଆମ୍ ଆଦମୀ ପାର୍ଟି (ଏଏପି), ସମାଜବାଦୀ ପାର୍ଟି (ଏସପି) ଏବଂ ବିରୋଧୀ ଦଳର ଅନ୍ୟ ସଦସ୍ୟମାନେ ଏକାଠି ହୋଇଛନ୍ତି ।

ବିରୋଧୀ ନେତାମାନେ ଅଭିଯୋଗ ଆଣିଛନ୍ତି ଯେ ରାଜ୍ୟସଭା ଅଧ୍ୟକ୍ଷ ବାରମ୍ବାର ସେମାନଙ୍କ ଭାଷଣରେ ବାଧା ସୃଷ୍ଟି କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ କରିବାକୁ ମନା କରି ଦେଉଛନ୍ତି ଏବଂ ଆଲୋଚନା ସମୟରେ ଶାସକ ଦଳକୁ ସମର୍ଥନ କରୁଛନ୍ତି ।

ବିରୋଧୀ ଇଣ୍ଡିଆ ବ୍ଲକ୍ ଜଗଦୀପ ଧନଖଡ଼ଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଛି । ସୂଚନା ମୁତାବକ, ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ରାଜ୍ୟସଭାରେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିପାରନ୍ତି । ଏହା ଉପରେ ୭୦ ଜଣ ସଦସ୍ୟ ଦସ୍ତଖତ ମଧ୍ୟ କରି ସାରିଛନ୍ତି ।

ସୋମବାର ରାଜ୍ୟସଭାରେ ଜର୍ଜ ସୋରୋସଙ୍କ ପ୍ରସଙ୍ଗରେ ହୋ ହଲ୍ଲା ବେଳେ ଜଗଦୀପ ଧନଖଡ଼ଙ୍କ ଆଭିମୁଖ୍ୟ ଦେଖି କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛି । ଜର୍ଜ ସୋରୋସଙ୍କ ସହ ଜଡ଼ିତ ପ୍ରସଙ୍ଗରେ ଯେଉଁ ପ୍ରକାରେ ରାଜ୍ୟସଭାରେ ହଙ୍ଗାମା ହୋଇଥିଲା, ତାହାକୁ ନେଇ କଂଗ୍ରେସ ଏବଂ ଅନ୍ୟ ଦଳର ସଦସ୍ୟମାନେ ଅଧ୍ୟକ୍ଷଙ୍କୁ ଉପରେ କ୍ରୋଧିତ ଥିବା କୁହାଯାଉଛି ।

ସୂଚନାଥାଉ କି, ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ଏହି ପ୍ରସ୍ତାବରେ ୫୦ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ । ଜଗଦୀପ ଧନଖଡ଼ଙ୍କ ବିରୋଧରେ ୭୦ ସଦସ୍ୟ ଦସ୍ତଖତ କରିଛନ୍ତି । ସମ୍ବିଧାନର ଧାରା ୬୭(ବି) ଅଧୀନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ଏପରି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି ।