ହାଇକୋର୍ଟଙ୍କ ନିର୍ଣ୍ଣୟ; ପିଲାଙ୍କ ସହ ଓରାଲ ସେକ୍ସ କରିବା ଗମ୍ଭୀର ଯୌନ ଅପରାଧ ନୁହେଁ, ନିମ୍ନ ଅଦାଲତ ଦେଇଥିବା ଦଣ୍ଡକୁ କରି ଦେଲେ କୋହଳ

ଓରାଲ ସେକ୍ସକୁ ‘ଗମ୍ଭୀର ଯୌନ ନିର୍ଯାତନା’ ଭାବେ ଗ୍ରହଣ କରି ନାହାନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ ଜଣେ ନାବାଳିକଙ୍କ ସହିତ ଓରାଲ ସେକ୍ସ ମାମଲାର ଶୁଣାଣି କରିବାକୁ ଯାଇ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଏହି ମାମଲାରେ ନିମ୍ନ ଅଦାଲତଙ୍କ ଦ୍ୱାରା ମିଳିଥିବା ଦଣ୍ଡକୁ କୋହଳ କରି ଦେଇଛନ୍ତି। ଅଦାଲତ ଏହି ପ୍ରକାର ଅପରାଧକୁ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଦଣ୍ଡନୀୟ ମାନିଥିଲେ। କିନ୍ତୁ ହାଇକୋର୍ଟ କହିଛନ୍ତି କି, ଏହି କାର୍ଯ୍ୟ aggravated penetrative sexual assault ବା ଗମ୍ଭୀର ଯୌନ ନିର୍ଯାତନା ନୁହେଁ। ତେଣୁ ଏମିତି ମାମଲାରେ ପୋକ୍ସୋ ଆକ୍ଟର ଧାରା ୬ ଏବଂ ଧାରା ୧୦ ଅଧୀନରେ ଦଣ୍ଡ ଦିଆଯାଇ ପାରିବ ନାହିଁ।

ହାଇକୋର୍ଟ ଏହି ମାମଲାରେ ଦୋଷୀଙ୍କ ଦଣ୍ଡକୁ ୧୦ ବର୍ଷରୁ କମାଇ ୭ ବର୍ଷ କରି ଦେଇଛନ୍ତି। ଏଥି ସହିତ ତାଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ସୋନୁ କୁଶଓ୍ଵାହା ସେସନ୍ସ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ। ତାଙ୍କ ଅପିଲ ଉପରେ ଜଷ୍ଟିସ୍‌ ଅନିଲ କୁମାର ଓଝା ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସେସନ୍ସ କୋର୍ଟ ଅଭିଯୁକ୍ତଙ୍କୁ ଆଇପିସି ଧାରା ୩୭୭ (ଅପ୍ରାକୃତିକ ଯୌନ ଅପରାଧ) ଓ ଧାରା ୫୦୬ (ଆପରାଧିକ ଧମକ ପାଇଁ ଦଣ୍ଡ) ଏବଂ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ। ହାଇକୋର୍ଟ ନିଜ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି କି, ଜଣେ ନାବାଳିକ ମୁହଁରେ ଲିଙ୍ଗ ଭର୍ତ୍ତି କରିବା ‘penetrative sexual assault’ ଶ୍ରେଣୀରେ ଆସିଥାଏ, ଯାହା ‘ଯୌନ ଅପରାଧରୁ ଶିଶୁ ସଂରକ୍ଷଣ’ ଅଧିନିୟମ (ପୋକ୍ସୋ)ର ଧାରା ୪ ଅଧୀନରେ ଦଣ୍ଡନୀୟ ଅପରାଧ, କିନ୍ତୁ ଅଧିନିୟମ ୬ ଅଧୀନରେ ନୁହେଁ। ତେଣୁ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଦ୍ୱାରା ଅପିଲକର୍ତ୍ତା ସୋନୁ କୁଶଓ୍ଵାହାଙ୍କୁ ଦିଆଯାଇଥିବା ଦଣ୍ଡକୁ କୋହଳ କରି ୧୦ରୁ ୭ ବର୍ଷ କରି ଦେଇଛନ୍ତି।

ଏହା ଥିଲା ପୂରା ମାମଲା

ଅପିଲକର୍ତ୍ତାଙ୍କ ଉପରେ ଅଭିଯୋଗ ରହିଥିଲା କି, ସେ ଅଭିଯୋଗକର୍ତ୍ତାଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କର ୧୦ ବର୍ଷର ପୁଅକୁ ସାଥୀରେ ନେଇ ପଳାଇ ଆସିଥିଲେ। ନାବାଳକଙ୍କୁ ୨୦ ଟଙ୍କା ଦେଇ ସେ ତାଙ୍କ ସହିତ ଓରାଲ ସେକ୍ସ କରିଥିଲେ। ସୋନୁ କୁଶଓ୍ଵାହା ଅତିରିକ୍ତ ସେସନ୍ସ ଜଜ୍‌/ସ୍ପେଶାଲ ଜଜ୍‌, ପୋକ୍ସୋ ଅଧିନିୟମ, ଝାନ୍ସି ଦ୍ୱାରା ପାରିତ ନିର୍ଣ୍ଣୟ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଏକ କ୍ରିମିନାଲ ଅପିଲ ଫାଇଲ୍‌ କରିଥିଲେ, ଯେଉଁଥିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.