ଇନ୍ଦୋର ମନ୍ଦିର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ହେବ ଅଙ୍ଗଦାନ, ପରିବାର ଲୋକେ ନେଲେ ନିଷ୍ପତ୍ତି

ଇନ୍ଦୋର ଦୁର୍ଘଟଣାରେ ଯେଉଁ ପରିବାର ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ମୃତକଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାରମାନଙ୍କର ଏହି ନିଷ୍ପତ୍ତିକୁ ପ୍ରଶାସନ ଏବଂ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋରରେ ପଟେଲ ନଗରସ୍ଥିତ ପ୍ରାଚୀନ ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ଗତକାଲି ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ରାମନବମୀ ପୂଜା ଚାଲିଥିବା ବେଳେ ଏଠାରେ ଥିବା ଏକ କୂଅର ଛାତ ହଠାତ୍‌ ଭୁଶୁଡି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି।

ତେବେ ଯେଉଁ ପରିବାର ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ମୃତକଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାରମାନଙ୍କର ଏହି ନିଷ୍ପତ୍ତିକୁ ସ୍ଥାନୀୟ ପ୍ରଶାସନ ଏବଂ ଲୋକେ ସ୍ୱାଗତ କରିଛନ୍ତି। ଅଙ୍ଗଦାନ ପାଇଁ କାର୍ଯ୍ୟ କରୁଥିବା ମୁସ୍କାନ ଗ୍ରୁପ୍ ମୃତକମାନଙ୍କ ପରିବାରର ଏହି ପଦକ୍ଷେପକୁ ଦୃଢ଼ ପ୍ରଶଂସା କରିଛି। ସେପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମୁସ୍କାନ ଗ୍ରୁପର ଅଙ୍ଗଦାନ ବିଭାଗର ପ୍ରଭାରୀ ସନ୍ଦୀପନ ଆର୍ଯ୍ୟ କହିଛନ୍ତି ଯେ ଦୁର୍ଘଟଣାରେ ମଧୁ କୁକରେଜା ନାମ୍ନୀ ମହିଳା ପ୍ରାଣ ହରାଇଛନ୍ତି। ପ୍ରଥମେ ତାଙ୍କ ପରିବାର ଅଙ୍ଗଦାନ ପାଇଁ ଆଗକୁ ଆସିଥିଲେ ଏବଂ ସେମାନେ ଆମ ସହିତ ଯୋଗାଯୋଗ କରି ମଧୁଙ୍କ ଆଖିଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଏହିଭଳି ୮ ପରିବାର ଅଛନ୍ତି, ଯେଉଁମାନେ ନିଜ ପରିବାରର ମୃତ ସଦସ୍ୟଙ୍କ ଆଖିଦାନ କରିବା ବିଷୟରେ କଥା ହୋଇଛନ୍ତି। ୩ ପରିବାର ମୃତକଙ୍କ ଚର୍ମଦାନ କରିବା ବିଷୟରେ କଥାବାର୍ତ୍ତା କରିଛନ୍ତି। ଆମେ ଅନ୍ୟ ପରିବାର ସହିତ ବି ସେମାନଙ୍କ ମୃତ ସଦସ୍ୟଙ୍କ ଅଙ୍ଗଦାନ ବିଷୟରେ କଥା ହେଉଛୁ।

ମଧ୍ୟପ୍ରଦେଶ ସରକାର ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି। ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.