ଲସ୍ ଏଞ୍ଜେଲସ୍ ନିଆଁ, ‘ଓସ୍କାର ୨୦୨୫’ର ନାମାଙ୍କନ ଘୋଷଣା ପୁଣି ଘୁଞ୍ଚିଲା, ଲଞ୍ଚ୍ ବାତିଲ

ଲସ୍ ଏଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ଓସ୍କାର ନାମାଙ୍କନ ଘୋଷଣାରେ ପୁଣିଥରେ ବିଳମ୍ବ ହୋଇଛି । ଏହି ଭୟଙ୍କର ନିଆଁର ପ୍ରଭାବ ମନୋରଞ୍ଜନ ଶିଳ୍ପ ଉପରେ ପଡ଼ିଛି । ଏବେ ଓସ୍କାର ନାମାଙ୍କନ ଭୋଟିଂର ସମୟ ସୀମା ଆହୁରି ତିନି ଦିନ ବଢ଼ାଇ ଦିଆଯାଇଛି । ହଲିଉଡ୍ ଉପରେ ପଡ଼ିଥିବା ଗଭୀର ପ୍ରଭାବ ହେତୁ ଏହି ପଦକ୍ଷେପ ନିଆଯାଇଛି ।

ଏକାଡେମୀ ଅଫ୍ ମୋସନ ପିକ୍ଚର ଆର୍ଟସ୍ ଆଣ୍ଡ ସାଇନ୍ସର ରିପୋର୍ଟ ଅନୁସାରେ, ଜାନୁୟାରୀ ୨୩ରେ ନାମାଙ୍କନ ଘୋଷଣା କରାଯିବ । ସମସ୍ତ ମନୋନୀତ ଷ୍ଟାରଙ୍କ ନାମ ସେତେବେଳେ ପ୍ରକାଶ ପାଇବ ।

ଏକାଡେମୀର ସିଇଓ ବିଲ୍ କ୍ରେମର ଓ ଏକାଡେମୀ ଅଧ୍ୟକ୍ଷ ଜେନେଟ୍ ୟାଙ୍ଗ ଏକ ମିଳିତ ବିବୃତ୍ତିରେ କହିଛନ୍ତି, ନିଆଁର ପ୍ରଭାବ ଏବଂ ଆମ ଲୋକମାନଙ୍କର ହୋଇଥିବା ଗଭୀର କ୍ଷତି ଯୋଗୁ ଆମେ ସମସ୍ତେ ହତାଶ ହୋଇପଡ଼ିଛୁ । ଏକାଡେମୀ ସବୁବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ଭିତରେ ଏକ ଏକୀକୃତ ଶକ୍ତି ରହିଆସିଛି ଏବଂ ଅସୁବିଧାର ସାମ୍ନା କରିବା ପାଇଁ ଆମେ ଏକାଠି ଠିଆ ହେବାକୁ ପ୍ରତିଶ୍ରୁତିବଦ୍ଧ ।

ଓସ୍କାର ଆୟୋଜନ କରୁଥିବା ସଙ୍ଗଠନ ଫେବୃୟାରୀ ୧୦ରେ ଧାର୍ଯ୍ୟ ହୋଇଥିବା ଏହାର ବାର୍ଷିକ ନାମାଙ୍କନ ସଦସ୍ୟଙ୍କ ଲଞ୍ଚ୍ ମଧ୍ୟ ବାତିଲ କରିଛି । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହୁଏ । ଫେବୃୟାରୀ ୧୮ରେ ଅନୁଷ୍ଠିତ ହେବାକୁ ଥିବା ବୈଜ୍ଞାନିକ ଏବଂ ବୈଷୟିକ ପୁରସ୍କାର ମଧ୍ୟ ସ୍ଥଗିତ ରଖାଯାଇଛି ।

ଓସ୍କାର ନାମାଙ୍କନ ପାଇଁ ପ୍ରଥମେ ଜାନୁୟାରୀ ୮ରୁ ୧୨ ମଧ୍ୟରେ ଭୋଟିଂ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଭୋଟିଂ ତାରିଖ ଜାନୁୟାରୀ ୧୭କୁ ବୃଦ୍ଧି କରାଯାଇଛି । ଏହିପରି ଓସ୍କାର ନାମାଙ୍କନ ପାଇଁ ଘୋଷଣା ତାରିଖ ଜାନୁୟାରୀ ୨୩କୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଜାନୁୟାରୀ ୧୭ରେ ଏହି ଘୋଷଣା ହେବାର ଥିଲା । ନାମାଙ୍କନ ପ୍ରକ୍ରିୟା ଭର୍ଚୁଆଲ୍ ହେବ । କହି ରଖୁଛୁ, ମାର୍ଚ୍ଚ ୩ରେ ଲସ୍ ଏଞ୍ଜେଲସର ଡୋଲବି ଥିଏଟରରେ ଆୱାର୍ଡ ସେରିମନି ଅନୁଷ୍ଠିତ ହେବ ।

You might also like