ଦିଲ୍ଲୀରେ ଭୀଷଣ କୁହୁଡି, ୧୦୦ରୁ ଅଧିକ ବିମାନ ଓ ୨୬ ଟ୍ରେନ୍ ବିଳମ୍ବ

ପ୍ରବଳ ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ତାପମାତ୍ରା ଲଗାତାର କମିବାରେ ଲାଗିଛି । ବୁଧବାର ଦିଲ୍ଲୀ-ଏନସିଆରରେ ଭୀଷଣ କୁହୁଡି ଦେଖିବାକୁ ମିଳିଛି । ଏହି କାରଣରୁ ଭିଜିବିଲିଟି ୧୦ ମିଟରରୁ କମିଯାଇଛି । ଗାଡ଼ିମୋଟରଗୁଡ଼ିକ ଧୀରେ ଧୀରେ ଗଡ଼ୁଛି । ଘନ କୁହୁଡି ଯୋଗୁ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ ଦିଲ୍ଲୀ ଏୟାରପୋର୍ଟରେ ମଧ୍ୟ ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି ।

ବର୍ତ୍ତମାନ ଯାଏ କୌଣସି ବିମାନର ମାର୍ଗ ପରିବର୍ତ୍ତନ କିମ୍ବା ବାତିଲ ନେଇ କିଛି ସୂଚନା ନ ଥିବା ଜଣେ ଅଧିକାରୀ କହିଛନ୍ତି ।

‘ଇଣ୍ଡିଗୋ’ ସକାଳ ୮ଟା ୧୮ ମିନିଟରେ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି, ‘ଦିଲ୍ଲୀରେ କମ୍ ଭିଜିବିଲିଟି ଏବଂ କୁହୁଡ଼ି ହେତୁ ବିମାନ ବିଳମ୍ବ ହୋଇପାରେ । ଆମେ ପାଣିପାଗ ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସୁରକ୍ଷିତ ତଥା ସୂଚାରୁ ରୂପେ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟ ସ୍ଥଳକୁ ନେବାକୁ ଚେଷ୍ଟା କରୁଛୁ’ ।

‘flightradar24.com’ରେ ଉପଲବ୍ଧ ସୂଚନା ଅନୁଯାୟୀ, ବୁଧବାର ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (DIAL) ସକାଳ ୭ଟା ୩୫ରେ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି ଯେ ବିମାନର ଅପଡେଟ୍ ଜାଣିବା ପାଇଁ ସମ୍ପୃକ୍ତ ବିମାନ ସେବା ସହ ଯୋଗାଯୋଗ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି । ଅସୁବିଧା ହେତୁ ଆମେ ଗଭୀର ଦୁଃଖିତ ।

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGIA) ପ୍ରତିଦିନ ପାଖାପାଖି ୧,୩୦୦ ବିମାନ ସଞ୍ଚାଳନ କରିଥାଏ । ନିକଟରେ ମଧ୍ୟ ଏହିପରି ଅନେକ ଉଡ଼ାଣ ବିଳମ୍ବ ହୋଇଥିଲା ।

ତେବେ କୁହୁଡିର ପ୍ରଭାବ କେବଳ ବିମାନ ସେବା ନୁହେଁ, ଟ୍ରେନ୍ ସଞ୍ଚାଳନ ଉପରେ ମଧ୍ୟ ପଡ଼ିଛି । ବୁଧବାର ଦିଲ୍ଲୀ ଆସୁଥିବା ଏବଂ ଯାଉଥିବା ଅନେକ ଟ୍ରେନ୍ ବିଳମ୍ବରେ ଗଡ଼ିଛି । ଏହି ସମୟରେ ବିହାର ସମ୍ପର୍କ କ୍ରାନ୍ତି, ଶ୍ରମଶକ୍ତି ଏକ୍ସପ୍ରେସ୍ ସମେତ ୨୬ଟି ଟ୍ରେନ୍ ବିଳମ୍ବରେ ଚାଲୁଛି ।

You might also like