କେରଳ ଭୂସ୍ଖଳନରେ ବଢୁଛି ମୃତ୍ୟୁସଂଖ୍ୟା: ୧୪୩ ମୃତ, ୯୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ : କେରଳ ଭୂସ୍ଖଳନରେ ବଢୁଛି ମୃତ୍ୟୁସଂଖ୍ୟା । ୧୪୩ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଗୁରୁତର ହୋଇଛନ୍ତି । ୯୦ରୁ ଅଧିକ ନିଖୋଜ ଅଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଗୁରୁତରମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ଚୁରାଲମାଲାରେ ଅସ୍ଥାୟୀ ଡାକ୍ତରଖାନା ସ୍ଥାପନ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ନୌସେନା , ସେନା, ଏନଡିଆରଏଫକୁ ନିୟୋଜିତ କରାଯାଇଛି। ପାଣିର ପ୍ରବଳ ସ୍ରୋତରେ ଚୁରାଲମାଲାକୁ ଆଟ୍ଟାମାଲା ଓ ମୁଣ୍ଡାକାଇକୁ ସଂଯୋଗ କରୁଥିବା ପୋଲ ଧୋଇ ଯାଇଛି। ଏହା ସହ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଘଟଣାସ୍ଥଳରେ ରେସକ୍ୟୁ କାମ ପାଇଁ ବାଧା ଉପୁଜିଛି।

ଆଜି ଅତିପ୍ରବଳ ବର୍ଷା ପାଇଁ ୱାୟନାଡରେ ରେଡ୍ ଆଲର୍ଟ ଜାରି ହୋଇଛି । ପ୍ରାୟ ୫ଘଣ୍ଟାର ପ୍ରବଳ ବର୍ଷା ପରେ ସୋମବାର ମଧ୍ୟ ରାତିରେ ଧସିଥିଲା ପାହାଡ଼ । ପଛକୁ ପଛ ୩ଟି ମାଟି ଧସଡ଼ାରେ ଥରିଥିଲା ପଶ୍ଚିମଘାଟ ପର୍ବତମାଳାର ମେପାଡ଼ୀ ଅଞ୍ଚଳ । ବଡ଼ ବଡ଼ ପଥର, କାଦୁଅ ସହ ପ୍ରବଳ ବେଗରେ ମାଡ଼ି ଆସିଥିଲା ପାଣି । ପାହାଡ଼ ପାଦଦେଶରେ ଥିବା ମୁଣ୍ଡାକାଇ, ଚୁରାଲମାଲା, ଆଟ୍ଟାମାଲା ଓ ନୁଲପୁଝା ଗାଁ ଧୋଇ ଯାଇଥିଲା। ରାତିରେ ଶୋଇଥିବା ବେଳେ ବହୁ ଲୋକ ମାଟି ତଳେ ଚାପି ହୋଇଯାଇଥିଲେ । ମାଟିରେ ମିଶିଯାଇଥିଲା ଘର, ପୋତି ହୋଇଯାଇଥିଲା ଗାଡ଼ିମୋଟର।

ଏହି ଘଟଣା ଓ୍ଵାୟନାଡ ଜିଲ୍ଲାର ମେପ୍ପଡୀ, ମୁଣ୍ଡକ୍କଇ ଟାଉନ ଏବଂ ଚରୁଲ ମାମଲା ଅଞ୍ଚଳରେ ହୋଇଛି । ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ୨ ଲକ୍ଷ ଟଙ୍କା ଏବଂ ଆତହଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

You might also like