ଗ୍ରୀସରେ ଭୂମିକମ୍ପକୁ ନେଇ ଲୋକେ ଭୟଭୀତ, ତିନି ଦିନରେ ୨୦୦ରୁ ଅଧିକ ଝଟକା !

ଗ୍ରୀସର ଆକର୍ଷଣୀୟ ସାଣ୍ଟୋରିନୀ ଦ୍ୱୀପରେ କ୍ରମାଗତ ଭାବରେ ଭୂମିକମ୍ପ ଅନୁଭୂତ ହେଉଛି । ବାରମ୍ବାର ଭୂମିକମ୍ପ ଝଟକା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପର୍ଯ୍ୟଟକଙ୍କ ପ୍ରିୟ ଗ୍ରୀସର ଏହି ଅଞ୍ଚଳରେ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ୨୦୦ରୁ ଅଧିକ ଥର ଭୂମିକମ୍ପ ଝଟକା ଅନୁଭବ କରାଯାଇଛି । ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୪.୬ ମପାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ରିପୋର୍ଟ ମୁତାବକ, ସ୍ଥାନୀୟ ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । ପ୍ରଶାସନ ଲୋକମାନଙ୍କୁ ଇନଡୋର୍ ସମାରୋହରୁ ଦୂରେଇ ରହିବାକୁ ଏବଂ ରାଜଧାନୀର ପୁରୁଣା ବନ୍ଦର ସମେତ ଅନେକ ବନ୍ଦରଠାରୁ ଦୂରରେ ରହିବାକୁ ନିବେଦନ କରିଛି । ଏହା ପୂର୍ବରୁ ବି ସାଣ୍ଟୋରିନୀ ଦ୍ୱୀପରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଛି ।

ତେବେ କ୍ରମାଗତ ଭୂକମ୍ପ ସତ୍ତ୍ୱେ ଏହି ଦ୍ୱୀପକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ କୌଣସି ପ୍ରଭାବ ପଡ଼େ ନାହିଁ । ୨୦ ହଜାରରୁ ଅଧିକ ଲୋକ ଏଠାରେ ବାସ କରନ୍ତି । ଏହା ସହିତ ପ୍ରତିବର୍ଷ ୩୪ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । ଛୁଟି କାଟିବା ପାଇଁ ଏହାକୁ ସର୍ବୋତ୍ତମ ଡେଷ୍ଟିନେସନ ଭାବରେ ବିବେଚନା କରାଯାଏ । ସାଣ୍ଟୋରିନୀ ହେଲେନିକ୍ ଆଗ୍ନେୟଗିରି ଆର୍କର ଏକ ଅଂଶ, ଯାହା ୟୁରୋପର ଅନ୍ୟତମ ସକ୍ରିୟ ଆଗ୍ନେୟଗିରି ଅଞ୍ଚଳ ।

ଏହା ପୂର୍ବରୁ ସାଣ୍ଟୋରିନୀ ଦ୍ୱୀପରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ୧୯୫୬ ମସିହାରେ ଅନୁଭୂତ ହୋଇଥିଲା । ଏଥିରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ସେହି ସମୟରେ ଦ୍ୱୀପରେ ଥିବା ଏକ ତୃତୀୟାଂଶ ଘର ଭୁଶୁଡ଼ ପଡ଼ିଥିଲା । ଲୋକମାନଙ୍କର ବହୁ କ୍ଷତି ଘଟିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଭୂମିକମ୍ପରେ ଥରିଲା ମେଘାଳୟ, ରିକ୍ଟର ସ୍କେଲରେ ତୀବ୍ରତା ୪.୧