ମକ୍କାରେ ଭୀଷଣ ଗରମ, ଏଯାଏଁ ୫୫୦ରୁ ଅଧିକ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ

ଚଳିତବର୍ଷ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଲୋକେ । ପ୍ରବଳ ଗରମ ଯୋଗୁଁ ଲୋକଙ୍କ ଜୀବନ ଚାଲିଯାଉଛି । ଭାରତ ପରି ସାଉଦି ଆରବରେ ମଧ୍ୟ ଗରମ ଓ ଗୁଳୁଗୁଳିରେ ଝଟପଟ ହେଉଛନ୍ତି ଲୋକେ । ପ୍ରବଳ ଗରମ ଏବେ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି । ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୫୫୦ରୁ ଅଧିକ ହଜ୍ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି ।

ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟର ନାଗରିକ ରହିଛନ୍ତି । ଇଜିପ୍ଟରୁ ୩୨୩ ହଜ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ଲୋକେ ଅସହ୍ୟ ଗରମ ଯୋଗୁ ପ୍ରାଣ ହରାଇଥିବା କୁହାଯାଇଛି । ମକ୍କାରେ ପ୍ରବଳ ଭିଡର ଶିକାର ହୋଇ ଜଣଙ୍କ ମୃତ୍ୟୁ ହୋଇଛି । ମକ୍କା ନିକଟ ଅଲ୍ ମୁଆଇସମ ହସ୍ପିଟାଲର ଶବଗୃହରୁ ଏହି ଖବର ମିଳିଛି ।

ସେହିପରି ଜର୍ଡାନର ଅତି କମ୍‌ରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦେଶର ହଜ୍ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୫୭୭ରେ ପହଞ୍ଚିଛି । ମକ୍କାର ସବୁଠାରୁ ବଡ ଶବଗୃହ ଅଲ-ମୁଆଇସମରେ ମୋଟ ୫୫୦ଟି ଶବ ଅଛି ।
ସାଉଦି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସୋମବାର ମକ୍କା ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଗରମ ଯୋଗୁଁ ୨୦୦୦ରୁ ଅଧିକ ଯାତ୍ରୀଙ୍କ ଚିକିତ୍ସା ଚାଲିଛି ।ଜଳବାୟୁ ପରିବର୍ତ୍ତନ ଦ୍ୱାରା ହଜ୍ ତୀର୍ଥଯାତ୍ରା ଅଧିକ ପ୍ରଭାବିତ ହେଉଛନ୍ତି । ଚଳିତ ବର୍ଷ ହଜରେ ପ୍ରାୟ ୧.୮ମିଲିୟନ ତୀର୍ଥଯାତ୍ରୀ ଭାଗ ନେଇଛନ୍ତି । ଯେଉଁଥିରେ ୧.୬ ମିଲିୟନ ବିଦେଶରୁ ଆସିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଗତବର୍ଷ ବିଭିନ୍ନ ଦେଶରୁ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ୨୪୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅଧିକାଂଶ ଯାତ୍ରୀ ଇଣ୍ଡୋନେସିଆର ରହିଥିଲେ ।

You might also like