ମୁମ୍ବାଇ : ଥାନେ ରେଲୱେ ଷ୍ଟେସନରେ ଅଘଟଣ, ଟ୍ରେନରୁ ଖସିପଡି ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେରେ ବଡ଼ ରେଳ ଦୁର୍ଘଟଣା । ଥାନେର ମୁମ୍ବାଇ ରେଲୱେ ଷ୍ଟେସନରୁ ସିଏସଏମଟି ଅଭିମୁଖେ ଯାଉଥିବା ଲୋକାଲ୍ ଟ୍ରେନରୁ ଅନେକ ଯାତ୍ରୀ ଧାରଣାକୁ ଖସି ପଡିଥବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ମିଳିଥିବା ସୂଚନାନୁସାରେ, ୧୦ ରୁ ୧୨ ଯାତ୍ରୀ ଟ୍ରେନରୁ ଖସି ପଡିଛନ୍ତି । ଟ୍ରେନରେ ଅତ୍ୟଧିକ ଭିଡ଼ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକମାନଙ୍କୁ ଚିହ୍ନଟ କରାଯାଉଛି। ସମସ୍ତ ମୃତକଙ୍କ ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ।  ପ୍ରାଥମିକ ତଦନ୍ତ ଅନୁସାରେ, ଯାତ୍ରୀମାନେ ଦ୍ୱାରରେ ଝୁଲି ଯାତ୍ରା କରୁଥିଲେ । ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାରକାରୀ ଦଳ, ପୋଲିସ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ସକାଳ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ତେବେ ସୋମବାର ଅଫିସ ସମୟରେ ପ୍ରବଳ ଭିଡ଼ ଯୋଗୁଁ ଟ୍ରେନରେ ଚଢାଚଢି ସମୟରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଟ୍ରେନରେ ଯାଉଥିବା ସମୟରେ ଟ୍ରେନ୍ ଡୋର୍ ପାଖେ ଯାତ୍ରୀମାନେ ଓହଳି ରହିଥିଲେ । ଯେତେବେଳେ ଟ୍ରେନ୍ ମୁମ୍ବରା ଏବଂ ଦିୱା ଷ୍ଟେସନ ମଧ୍ୟରେ ପହଞ୍ଚିଥିଲା ସେତେବେଳେ ଯାତ୍ରୀମାନେ ଭାରସାମ୍ୟ ହରାଇବାକୁ ଲାଗିଲେ । ଏବଂ ଜଣଙ୍କ ପରେ ଜଣେ ଟ୍ରେନରୁ ତଳକୁ ଖସିବାକୁ ଲାଗିଥିଲେ । ଘଟଣା ବିଷୟରେ ଖବର ପାଇ ରେଲୱେ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।

କହି ରଖୁଛୁ ମୁମ୍ବାଇର ଲୋକାଲ ଟ୍ରେନଗୁଡ଼ିକରେ ସବୁଠାରୁ ଅଧିକ ଭିଡ଼ ହୁଏ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଅତ୍ୟଧିକ ଭିଡ଼ କାରଣରୁ ଏବଂ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବାରୁ ପ୍ରାୟତଃ ଏମିତି ଦୁର୍ଘଟଣାର ଖବର ଶୁଣିବାକୁ ମିଳେ । ରେଲୱେ ପ୍ରଶାସନ ଦୁର୍ଘଟଣାକୁ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ସେପଟେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଭିଡ଼ ନିୟନ୍ତ୍ରଣ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତେବେ ଆହତ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ଯାତ୍ରୀମାନେ ଭିଡ଼ ସମୟରେ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି ପ୍ରଶାସନ ।

Also Read : ଦିଲ୍ଳୀରେ ଭୀଷଣ ଅଗ୍ନିକାଣ୍ଡ ; ୨ ମୃତ