ଚିଦମ୍ବରମ୍ଙ୍କୁ ଜାମିନ୍ ସିନା ମିଳିଲା ହେଲେ ମୁକୁଳି ପାରିବେ ନାହିଁ

ନୂଆଦିଲ୍ଲୀ: ଜାମିନ ପାଇଲେ, ହେଲେ ମୁକୁଳି ପାରିବେନି । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପି.ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି ଅନ୍ୟ କୌଣସି ମାମଲା ନଥିଲେ ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଦେଇ ସେ ମୁକୁଳି ପାରିବେ। ତେବେ ଇଡି ରିମାଣ୍ଡରେ ଅଛନ୍ତି ଚିଦାମ୍ବରମ। ଆସନ୍ତା ୨୪ ତାରିଖରେ ତାଙ୍କ ରିମାଣ୍ଡ ଅବଧି ଶେଷ ହେବ । ଏହା ପରେ ତାଙ୍କୁ କୋର୍ଟରେ ହାଜର କରିବ ତଦନ୍ତକାରୀ ସଂସ୍ଥା । ଇଡି ମାମଲାରେ ତାଙ୍କୁ ପୁଣି ଥରେ ଜେଲ ଯିବାକୁ ପଡ଼ିପାରେ । ଗତ ସପ୍ତାହରେ ତିହାର ଜେଲରୁ ଚିଦାମ୍ବରମଙ୍କୁ ଗିରଫ କରିଥିଲା ଇଡି।
ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଉଭୟ ଇଡି ଓ ସିବିଆଇ ଏହି ମାମଲରେ ତଦନ୍ତ କରୁଛନ୍ତି। ଅନ୍ୟପଟେ ଆଜି ଜାମିନ ଶୁଣାଣି ବେଳେ ସିବିଆଇ ଉପରେ ବିରକ୍ତି ପ୍ରକାଶ କରିଥିଲେ କୋର୍ଟ। ଚିଦାମ୍ବରମ୍ ଦେଶ ଛାଡି ପଳାଇ ଯିବାର ସମ୍ଭାବନା ନାହିଁ ବୋଲି କୋର୍ଟ କହିଥିଲେ। ସେହିଭଳି ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ପ୍ରଚାରରୁ ନିବୃତ୍ତ ରହିବାକୁ କୋର୍ଟ ସିବିଆଇକୁ ତାଗିଦ କରିଥିଲେ। ସେ କିଭଳି ସାକ୍ଷୀଙ୍କୁ ପ୍ରଭାବିତ କରିବେ, ସେ ସଂପର୍କରେ ତଦନ୍ତକାରୀ ସଂସ୍ଥା କୌଣସି ତଥ୍ୟ ଦେଇ ନାହିଁ ବୋଲି କୋର୍ଟ କହିଥିଲେ । ତାଙ୍କ ବୟସ, ସ୍ୱାସ୍ଥ୍ୟଗତ ସମସ୍ୟା ଓ ମାମଲାର ଗମ୍ଭୀତାକୁ ଦୃଷ୍ଟିରେ ରଖି ଜାମିନ ଦିଆଗଲା ବୋଲି ଖଣ୍ଡପୀଠ କହିଥିଲେ।