କଶ୍ମୀରରେ ସୁରକ୍ଷାବଳର ଅପରେସନ ଜାରି, ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ

ଜମ୍ମୁ କଶ୍ମୀରର ପହଲଗାମ ଆକ୍ରମଣ ପରେ କଶ୍ମୀରରେ ପୋଲିସ ଏବଂ ସେନାର ଅପରେସନ ଜାରି ରହିଛି । ଜମ୍ମୁ କଶ୍ମୀର ପୋଲିସ ଏବଂ ଏନଆଇଏ ଟିମ୍ ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖିଛି । ଏମାନଙ୍କୁ ପଚରାଉଚରା କରୁଛି । ତେବେ ପହଲଗାମରେ ୨୬ ନୀରିହ ଲୋକଙ୍କ ପ୍ରାଣ ହରାଇଥିବା ବେଳେ ଆତଙ୍କୀଙ୍କୁ ସ୍ଥାନୀୟ ଲୋକ ସହାୟତା କରିଥିବା ସୁରକ୍ଷା ଏଜେନ୍ସୀ ସନ୍ଦେହ କରୁଛି ।

ଏନଆଇଏ ୨୦ରୁ ଅଧିକ ଓଭର ଗ୍ରାଉଣ୍ଡ ୱାର୍କରକୁ ଅଟକ ରଖି ପଚରାଉଚରା କରୁଛି । ଯାଞ୍ଚ ଏଜେନ୍ସୀ କୋଟ ଭଲବାଲ ଜେଲରେ ବନ୍ଦୀ ଥିବା ଦୁଇ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ପଚରାଉଚରା କରିବ । ଏମାନେ ଏଲଇଟି ଆତଙ୍କୀଙ୍କୁ ସହାୟତା କରୁଥିଲେ । ୨୦୨୩ରେ ଭାଟା ଧୁରିଆ ଏବଂ ତୋତଗଲୀରେ ସେନା ଉପରକୁ ଆକ୍ରମଣ କରିଥିବା ଆତଙ୍କୀଙ୍କ ସହଯୋଗ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ ।

ସୁରକ୍ଷା ଏଜେନ୍ସୀ ସନ୍ଦେହ କରୁଛି କି, ରଜୌରୀ, ପୁଞ୍ଛରେ ସେନା ଉପରେ ଆକ୍ରମଣ ଏବଂ ପହଲଗାମ ବୈସରଣ ଘାଟିରେ ଆକ୍ରମଣ ଘଟଣା ପରସ୍ପର ସହିତ ଜଡିତ ହୋଇପାରେ । ଏମାନେ ପିଓକେର ଗୋଟିଏ ଏଲଇଟି କ୍ୟାମ୍ପର ଆତଙ୍କୀ ହୋଇଛନ୍ତି । ତେଣୁ ଏମାନଙ୍କୁ ଯାଞ୍ଚ ଏଜେନ୍ସୀ ପଚରାଉଚରା କରିବ ।

ପହଲଗାମ ଆତଙ୍କୀ କଶ୍ମୀର ଜଙ୍ଗଲରେ ୧୦ ଦିନ ହେଲାଣି ଲୁଚିଥିବା ସୁରକ୍ଷା ଏଜେନ୍ସୀ ସନ୍ଦେହ କରୁଛି । ସୁରକ୍ଷାବଳ ପହଲଗାମ ବୈସରଣ ଘାଟି, ତାରୁନ ହପତଗୁଣ୍ଡ, ଡାବରୁ ଏବଂ ଅନେକ ଅଞ୍ଚଳରେ ସନ୍ଧାନ ଜାରି ରଖିଛି ।

Also Read : ଗଙ୍ଗା ଏକ୍ସପ୍ରେସ ୱେର ଏୟାର ଷ୍ଟ୍ରିପରେ ଏୟାରଫୋର୍ସର ଟ୍ରାଏଲ, ରାତି ପରୀକ୍ଷଣ ପାଇଁ ଡ୍ରିଲ କରିବ ବାୟୁସେନା ବିମାନ