ଜମ୍ମୁ କଶ୍ମୀରରେ ସେନାର ବଡ଼ ସର୍ଚ୍ଚ ଅପରେସନ, କଠୁଆରେ ୪ ଜଣ ସନ୍ଦିଗ୍ଧ ଆତଙ୍କୀ ଥିବା ସୂଚନା

ଜମ୍ମୁ କଶ୍ମୀର କାଠୁଆ ଜିଲ୍ଲା ହୀରାନଗର ସେକ୍ଟରରେ ସୁରକ୍ଷାବଳର ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ । ପହଲଗାମରେ ଏପ୍ରିଲ ୨୨ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣ ପରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ତାହାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କାଠୁଆ ଜିଲ୍ଲାରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ଜଣେ ମହିଳାଙ୍କ ସୂଚନା ଅନୁଯାୟୀ, ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ୪ ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ କାଠୁଆରେ ନଜର ଆସିଥିଲେ, ଯାହା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଜମ୍ମୁ ଓ କଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ (SOG) ଏବଂ ସ୍ଥାନୀୟ ପୋଲିସ ମିଳିତ ଭାବେ କାଠୁଆର ହୀରାନଗର ସେକ୍ଟର ଏବଂ ଆଖପାଖ ଅଞ୍ଚଳରେ ଘରେ ଘରେ ପଶି ତଲାସୀ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନରେ ଭାରତୀୟ ସେନା ଏବଂ ସିଆରପିଏଫ ମଧ୍ୟ ସାମିଲ ହୋଇଛନ୍ତି । ତଲାସୀ ଅଭିଯାନରେ ଡ୍ରୋନ ଏବଂ ସ୍ନିଫର ଡଗ୍ସଙ୍କ ସାହାଯ୍ୟ ନିଆଯାଉଛି ।

ପୁଲୱାମାର କରୀମାବାଦ ଅଞ୍ଚଳରେ ମଧ୍ୟ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଚନ୍ତି । ଏହି ଅଞ୍ଚଳ ପୂର୍ବରୁ ଆତଙ୍କୀ ପାଇଁ ଚର୍ଚ୍ଚିତ ରହିଛି । ତେବେ ଏହି ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ସିଲ୍ କରିଦିଆଯାଇଛି ।
ପହଲଗାମ ଆକ୍ରମଣ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ନିଜେ ଜମ୍ମୁ କଶ୍ମୀର ଉଧମପୁର ସ୍ଥିତ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ।

ପହଲଗାମର ବୈସରଣ ଉପତ୍ୟକାରେ ଘଟିଥିବା ଏହି ଆକ୍ରମଣର ଦାୟିତ୍ୱ ଲସ୍କର-ଏ-ତୋଇବାର ଏକ ଅଂଶ ଦ ରେସିଷ୍ଟାନ୍ସ ଫ୍ରଣ୍ଟ (TRF) ନେଇଛି । ଆକ୍ରମଣକାରୀମାନେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ଆଧାରରେ ଟାର୍ଗେଟ କରିଥିଲେ, ଯେଉଁଥିରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କର ମୃତ୍ୟୁ ଘଟିଥିଲା ।

Also Read : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହ ମନ୍ତ୍ରୀ ଅମିତ ଶାହ, ପାକିସ୍ତାନୀଙ୍କୁ ଖୋଜି ଖୋଜି ତୁରନ୍ତ ବିଦା…