ଜୈସ ମହମ୍ମଦ ମୁଖ୍ୟ ମସୁଦ ଆଝାର ସହ ସମ୍ପର୍କକୁ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ଭାରତ ସମେତ ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ପାକିସ୍ତାନର ସମ୍ପର୍କ ରହିଛି । ଏକଥା ଭାରତ ଦାବି କରି ଆସିଛି ଓ ପ୍ରମାଣ ବି ଦେଇଛି । ସେଥିଲାଗି ଏହାର ମୁଖ୍ୟ ମସୁଦ ଆଝାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ସହିତ ସ୍ୱର ମିଳାଇଛନ୍ତି ବିଶ୍ୱର ଅନ୍ୟ ପ୍ରମୁଖ ରାଷ୍ଟ୍ର । ହେଲେ ପାକସ୍ତାନ କେବେବି ମାନିବାକୁ ପ୍ରସ୍ତୁତ ନଥିଲା । ଏବେ କିନ୍ତୁ ଏହା ସମ୍ପର୍କ ରହିଛି ବୋଲି କହୁ କହୁ କହି ଦେଇଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ କୁରେସୀ । ବିବିସି ସହିତ ଏକ ସାକ୍ଷାତକାର ବେଳେ ତାଙ୍କୁ ଯେତେବେଳେ ପଚରାଗଲା ଯେ କଶ୍ମୀର ପୁଲଓ୍ଵାମାରେ ୪୦ ଜଣ ସଆରପିଏଫ୍ ଯବାନଙ୍କୁ ହତ୍ୟା କରିଛି ଜୈସ-ଇ-ମହମ୍ମଦ ସଂଗଠନ । ଏଥିପାଇଁ ଜୈସ ନିଜକୁ ଦାୟୀ କରିଛି । ଏହା ପରେ ମଧ୍ୟ କାହିଁକି ପାକିସ୍ତାନ କୌଣସି ପଦକ୍ଷେପ ନେଲା ନାହିଁ । ଏହାର ଉତ୍ତରରେ କୁରେସୀ କହିଛନ୍ତି, ଆମ ଇମ୍ରାନ୍ ସରକାର ମସୁଦ ଆଝାର ସମେତ ଜୈସ୍ର କିଛି ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରୁଛି ।
ପାକ୍ ବୈଦେଶିକ ମନ୍ତ୍ରୀଙ୍କ ଏହି କଥା ପଦକ ଆତଙ୍କବାଦକୁ ଖୋଲାଖୋଲି ଭାବେ ପାକିସ୍ତାନ ସମର୍ଥନ ଓ ପ୍ରୋତ୍ସାହନ ଦେଉଥିବା ପ୍ରମାଣକୁ ଆହୁରି ସ୍ପଷ୍ଟ କରିଛି । ତେବେ କୁରେସୀ କହିଛନ୍ତି ଜୈସ-ଇ-ମହମ୍ମଦର ସଦସ୍ୟମାନେ ପୁଲଓ୍ଵାମା ଆକ୍ରମଣ ପଛରେ ସେମାନଙ୍କ ହାତ ନଥିବା କହିଛନ୍ତି । ତେଣୁ ଆମେ ସନ୍ଦେହରେ ପଡ଼ିଛୁ ।
ସୂଚନା ଥାଉକି ଗତ ଶୁକ୍ରବାର ଦିନ କୁରେସୀ କହିଥିଲେ, ମସୁଦ ଆଝାର ପାକିସ୍ତାନରେ ଅଛି ଓ ସେ ଗୁରୁତର ଅସୁସ୍ଥ ଥିବାରୁ ଘରୁ ବାହାରୁ ନାହିଁ । ଅନ୍ୟପକ୍ଷରେ ଗତ ଫେବ୍ରୁଆରୀ ୧୪ ତାରିଖରେ ପୁଲଓ୍ଵାମାରେ ହୋଇଥିବା ଆତ୍ମଘାତୀ ବସ୍ଫୋରଣ ପରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ତରଫରୁ ଏକ ଭିଡିଓ ଜାରି କରାଯାଇଥିଲା । ଏଥିରେ ସେମାନେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ । ଏସବୁ ସତ୍ତ୍ୱେ ପାକିସ୍ତାନ କିଭଳି ମିଛ ନାଟକ କରୁଛି ତାହାର ସ୍ପଷ୍ଟ ପ୍ରମାଣ ତାଙ୍କ ବୟାନ୍ ବାଜିରୁ ଜଣାପଡୁଛି । ଆଉ ଏକଥା ବି ପ୍ରମାଣ ହୋଇଛି ଯେ ସତ କେବେ ଲୁଚି ରହେନା ।