ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍, ଉତ୍ତେଜନାମୂଳକ ଟିପ୍ପଣୀ ପାଇଁ ବ୍ଲକ

୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହାରି ମଧ୍ୟରେ ସରକାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ୍ସ ଆକାଉଣ୍ଟକୁ ଭାରତରେ ବ୍ୟାନ କରିଛନ୍ତି ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପୂର୍ବରୁ କହିଥିଲେ ଯେ, ପାକିସ୍ତାନ ହାଇ ଆଲର୍ଟରେ ଅଛି ଏବଂ ଏହାର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯଦି ପାକିସ୍ତାନର ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ଥାଏ, ତେବେ ଏହା ପରମାଣୁ ଅସ୍ତ୍ର ବ୍ୟବହାର କରିପାରିବ । ତାଙ୍କର ଏଭଳି ବୟାନ ପରେ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ପୂବର୍ରୁ ସରକାର ପାକିସ୍ତାନର ଅନେକ YouTube ଚ୍ୟାନେଲ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ଚ୍ୟାନେଲଗୁଡ଼ିକ ଭାରତ, ଏହାର ସେନା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ, ମିଥ୍ୟା ଏବଂ ଭ୍ରାମକ ସୂଚନା ପ୍ରସାର କରୁଥିଲେ । ଏହି ଚ୍ୟାନେଲ ମଧ୍ୟରେ ସୋଏବ ଅଖତର ଏବଂ ଆରଜୁ କାଜମୀଙ୍କ ଚ୍ୟାନେଲ ଥିବା ଜଣାପଡିଛି । ଏହାସହ ଡନ ନ୍ୟୁଜ, ଜିଓ ନ୍ୟୁଜ, ଆର୍ୟା ନ୍ୟୁଜ, ସମା ଟିଭି ଏବଂ ବୋଲ ନ୍ୟୁଜର ଚ୍ୟାନେଲ ମଧ୍ୟ ଅଛି । ରଫତାର, ଦ ପାକିସ୍ତାନ, ଜିଏନଏନ୍, ଉଜେର କି୍ରକେଟ, ଆସମା ଶିରାଜୀ, ମୁନିବ ଫାରୁକ, ଶୁନୋ ନ୍ୟୁଜ, ରାଜି ନାମା ଇତ୍ୟାଦି ସାମିଲ ରହିଛି ।

Also Read : ପହଲଗାମ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି, ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ