ପାକିସ୍ତାନ: ଅଲକାଦିର୍ ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ପତ୍ନୀଙ୍କୁ ୭ ବର୍ଷ ଜେଲ୍

ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟକା । ଇମ୍ରାନଙ୍କୁ ପାକିସ୍ତାନର ଏକ କୋର୍ଟ ଅଲକାଦିର୍ ଟ୍ରଷ୍ଟ ମାମଲାରେ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ଇମ୍ରାନଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ ଜେଲ୍ ହୋଇଛି ।

ଅଲକାଦିର ୟୁନିଭର୍ସିଟି ପ୍ରୋଜେକ୍ଟ ଟ୍ରଷ୍ଟ ସହ ଜଡ଼ିତ ଦୁର୍ନୀତି ମାମଲାରେ ଇମ୍ରାନ ଓ ତାଙ୍କ ପତ୍ନୀଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ମାମଲାରେ କ୍ଷମତାର ଅପବ୍ୟବହାର ପାଇଁ ମଧ୍ୟ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ରାୱଲପିଣ୍ଡିର ଅଦିୟାଲା ଜେଲ୍ ଅଦାଲତ ଇମ୍ରାନ ଖାନ ଓ ତାଙ୍କ ପତ୍ନୀଙ୍କ ଉପରେ ୧୯୦ ମିଲିୟନ ପାଉଣ୍ଡର ଜରିମାନା ଲାଗୁ କରିଛନ୍ତି । ଇମ୍ରାନ ୨୦୨୩ ଅଗଷ୍ଟରୁ ରାୱଲପିଣ୍ଡିର ଏହି ଜେଲରେ ଅଛନ୍ତି । ମାମଲାରେ ପାକିସ୍ତାନୀ କୋର୍ଟ ୨୦୨୪ ଡିସେମ୍ବରରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଆଜି ରାୟ ଶୁଣାଣି ପୂର୍ବରୁ ୩ ଥର ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ସେପଟେ କୋର୍ଟଙ୍କ ନିଷ୍ପତ୍ତିର ତୁରନ୍ତ ପରେ ବୁଶରା ବିବିଙ୍କୁ ଗିରଫ କରାଯାଇଛି ।

ଅଲକାଦିର ୟୁନିଭର୍ସିଟି ସହ ଜଡ଼ିତ ପ୍ରୋଜେକ୍ଟରେ ୧୯୦ ମିଲିୟନ ପାଉଣ୍ଡର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ବ୍ରିଟେନର ଜାତୀୟ ଅପରାଧ ଏଜେନ୍ସି ଏବଂ ପାକିସ୍ତାନୀ ଅଧିକାରୀମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅଧୀନରେ ଏହି ଟଙ୍କା ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହୃତ ହୋଇଥିଲା ।

ଇମ୍ରାନ ଖାନ ଏହି ନିଷ୍ପତ୍ତିର ୪ ଦିନ ପୂର୍ବରୁ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ । ସେ ଏହି ନିଷ୍ପତ୍ତିରେ ବିଳମ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ବିଳମ୍ବ ହେଉଛି ବୋଲି ସେ କହିଥିଲେ ।

କହି ରଖୁଛୁ, ଏହା ପୂର୍ବରୁ ୨୦୨୩ ଜାନୁୟାରୀରେ ମଧ୍ୟ ଇମ୍ରାନ ଖାନଙ୍କୁ ଅନ୍ୟ ତିନୋଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

You might also like