ସୀମାରେ ଫସିଛନ୍ତି ସାଧାରଣ ନାଗରିକ, ନିଜ ଦେଶବାସୀଙ୍କୁ ନେବାକୁ ନାରାଜ ପାକିସ୍ତାନ

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛି ଭାରତ । ଏଥିରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାଠାରୁ ଆରମ୍ଭ କରି ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବା ପର୍ଯ୍ୟନ୍ତ ଅନେକ ପ୍ରକାରର ନିଷ୍ପତ୍ତି ସାମିଲ ରହିଛି । ଉଭୟ ଦେଶର ସରକାରଙ୍କ କଡ଼ା ନିର୍ଦ୍ଦେଶ ଯୋଗୁଁ ପରସ୍ପର ଦେଶରେ ରହୁଥିବା ଭାରତୀୟ ଓ ପାକିସ୍ତାନୀ ନାଗରିକମାନେ ନିଜ ଦେଶକୁ ଫେରୁଛନ୍ତି । ସ୍ୱଳ୍ପକାଳୀନ ଭିସାରେ ଭାରତ ଆସିଥିବା ପାକିସ୍ତାନୀ ଏବଂ ପାକିସ୍ତାନ ଯାଇଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନର ଶେଷ ତାରିଖ ସରିଛି । ସମୟସୀମା ଶେଷ ହେବା ମାତ୍ରେ ଅମୃତସରର ୱାଘା-ଅଟାରୀ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ତେବେ ପାକିସ୍ତାନରୁ ତ ଭାରତୀୟମାନେ ଫେରି ଆସିଛନ୍ତି ହେଲେ ସୀମା ବନ୍ଦ କରି ଦିଆଯାଇଥିବାରୁ ଫସି ରହିଛନ୍ତି ପାକିସ୍ତାନୀ ନାଗରିକ । ଭାରତ ସୀମାରେ ସେମାନେ ଅପେକ୍ଷା କରି ରହିଛନ୍ତି ପାକିସ୍ତାନ ଯିବାକୁ ।

ସୂଚନା ଥାଉ କି ଗୁରୁବାର ଦିନ ପାକିସ୍ତାନ ଅଟାରୀ ସୀମାର ଗେଟ୍ ଖୋଲି ନଥିଲା । ଏ ପରିସ୍ଥିତିରେ ଯେଉଁ ପାକିସ୍ତାନୀମାନେ ସ୍ୱଳ୍ପକାଳୀନ ଭିସାରେ ଭାରତ ଆସିଥିଲେ ଏବଂ ଘରକୁ ଫେରୁଥିଲେ ସେମାନେ ଅଟାରୀ-ୱାଘା ସୀମାରେ ଅଟକି ରହିଛନ୍ତି । ପାକିସ୍ତାନ ପାର୍ଶ୍ୱରୁ ସୀମା ଫାଟକ ଖୋଲା ନଯିବାରୁ ଅନେକ ଲୋକ ଅଟାରୀ ଏବଂ ୱାଘା ସୀମାରେ ଠିଆ ହୋଇ ଖରାରେ ସିଝୁଥିବା ଦେଖା ଯାଇଥିଲା ।

ଏପଟେ ଅଟାରୀ ସୀମାରେ ଫସିଥିବା ପାକିସ୍ତାନ ନାଗରିକଙ୍କ ରହଣି ସମୟସୀମାକୁ ଭାରତ ବୃଦ୍ଧି କରିବାକୁ ବାଧ୍ୟ ହୋଇଛି । ସୀମାରେ ଅନେକ ସାଧାରଣ ନାଗରିକ ଫସି ରହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପାକିସ୍ତାନୀ ନାଗରିକଙ୍କ ପାଇଁ ନିଶ୍ଚିତ ଭାବରେ ଆଶ୍ୱସ୍ତି । ଆଉ ସେମାନେ ଭାରତ ସରକାରଙ୍କ ମାନବିକତାକୁ ପ୍ରଶଂସା କରୁଛନ୍ତି । ଅନ୍ୟପଟେ ପାକିସ୍ତାନ ନିଜର କୁଟନୈତିକ ନୀତିରୁ ଓହରୁ ନାହିଁ । ଯାହାଫଳରେ ନିଜ ଦେଶର ଲୋକଙ୍କ ଠାରୁ ଗାଳି ଶୁଣୁଛି ଃ

ୱାଘା ସୀମାର ପାକିସ୍ତାନ ପାର୍ଶ୍ୱର ଗେଟ୍ ବନ୍ଦ ରହିଛି, ଯେଉଁଥି ପାଇଁ ଅନେକ ପାକିସ୍ତାନୀ ନାଗରିକ ଅପେକ୍ଷ କରି ରହିଛନ୍ତି ନିଜ ଦେଶକୁ ଯିବା ପାଇଁ । ଗେଟ୍ ଖୋଲା ନଯିବା କାରଣରୁ ସେମାନେ ସୀମା ଠାରେ ହିଁ ଫସି ରହି ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ।

ଅଟାରୀ ସୀମାରେ ଫସିଥିବା ପାକିସ୍ତାନ ନାଗରିକମାନଙ୍କ ପାଖରେ ଅଳ୍ପ ଖାଦ୍ୟ ପଦାର୍ଥ ଅଛି । ସେପଟେ ଖୋଲା ଆକାଶ ତଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିଛନ୍ତି କେତେବେଳେ ପାକିସ୍ତାନ ତରଫରୁ ଗେଟ୍ ଖୋଲାଯିବ ଆଉ ସେମାନେ ନିଜ ଦେଶକୁ ଫେରିବେ । କୁହାଯାଉଛି ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କରେ ଥିବା ବିବାଦକୁ ଆହୁରି ବଢ଼ାଇବା ପାଇଁ ଜାଣିଶୁଣି ଏପରି କାମ କରୁଛି । ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଭାରତୀୟ ଅଧିକାରୀମାନେ ପାକିସ୍ତାନୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଲଗାତାର ଚେଷ୍ଟା କରୁଛନ୍ତି । ତେବେ ପାକିସ୍ତାନ ଏକଥା ଭୁଲି ଯାଉଛି ଯେ ଏଭଳି କାଣ୍ଡ କରି ସେ ନିଜେ ହିଁ ନିଜ ଲୋକଙ୍କ ପାଖରେ ନିନ୍ଦିତ ହେଉଛି । ଏହା ପାକିସ୍ତାନ ସରକାରଙ୍କ ମତିଭ୍ରମ ଛଡ଼ା କିଛି ନୁହେଁ ।

Also Read:ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କଲା ଭାରତ, ସେପଟେ ଏୟାର ସ୍ପେସ ବନ୍ଦ କଲା ପାକିସ୍ତାନ