ମିଶାଇଲ ପରୀକ୍ଷଣ କରୁଛି ପାକିସ୍ତାନ, ଗତିବିଧି ଉପରେ ନଜର ରଖିଛି ଭାରତ

ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଭାରତର କଠୋର ପଦକ୍ଷେପ ପରେ ପାକିସ୍ତାନ ଏବେ ଟେନସନରେ । ଟେନସନ୍ ବଢାଇଲା ପାକିସ୍ତାନର ଉସକାଇବା ପରି ପଦକ୍ଷେପ । କରାଚିରେ ମିଶାଇଲ ଟେଷ୍ଟ କରୁଛି ପାକିସ୍ତାନ । ପାକିସ୍ତାନର ଏଭଳି ପଦକ୍ଷେପ ଉପରେ ଭାରତୀୟ ଏଜେନ୍ସ ନଜର ରଖିଛି ।

ପହଲଗାମ ଆକ୍ରମଣ ପରେ ଭାରତ କଡା ପଦକ୍ଷେପ ନେବା ପରେ ମିଶାଇଲ ଟେଷ୍ଟ ଆରମ୍ଭ କରିଛି ପାକିସ୍ତାନ । କରାଚି ଉପକୂଳରେ ଆଜି ଏବଂ କାଲି ମିଶାଇଲ ଟେଷ୍ଟ କରିବ ବୋଲି ସୂଚନା ମିଳିଛି । ଏହା ପରେ ହାଇ ଆଲର୍ଟରେ ଭାରତ । ମିଶାଇଲ ଟେଷ୍ଟ ସୂଚନା ମିଳିବା ପରେ କଡା ନଜର ରଖିଛନ୍ତି ଭାରତ ସରକାର ।

ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିକୁ ଶେଷ କରିଛି ।  ପାକିସ୍ତାନ ସହ ବାତିଲ ହୋଇଛି ୧୯୬୦ ସିନ୍ଧୁ ଜଳ ଚୁକ୍ତି । ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ସେହିପରି ୱାଘା-ଅଟ୍ଟାରୀ ସୀମା ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।  ପାକିସ୍ତାନୀ ନାଗରିକଙ୍କୁ ଭିସା ବାତିଲ ହେଲା ।  SAARC ଭିସାରେ ଭାରତ ଆସିପାରିବେନି ପାକିସ୍ତାନୀ । ସାର୍କ ଭିସାରେ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୨୫ ଭାରତୀୟଙ୍କ ସହିତ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଲସ୍କର-ଏ-ତୋଏବାର ପ୍ରକ୍ସୀ ୱିଙ୍ଗ ଦ ଟିଆରଏଫ ନିଜକୁ ଦାୟୀ କରିଛି । ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର । ଭାରତ ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି । ଭାରତ ସରକାର ପାକିସ୍ତାନ ସରକାରର ସୋସିଆଲ ଆକାଉଣ୍ଟକୁ ବ୍ୟାନ୍ କରିଛି ।

Also Read : ଭାରତର ଡିଜିଟାଲ ଷ୍ଟ୍ରାଇକ୍, ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ ବ୍ୟାନ୍