ନୂଆଦିଲ୍ଲୀ : ସାରା ବିଶ୍ୱକୁ ନାକେଦମ୍ କରିଥିବା ଚୀନ୍ ଏବେ ତା’ର ବନ୍ଧୁ ପାକିସ୍ତାନ ସହ ମିଶି ପୁଣି ଏକ ଷଡ଼ଯନ୍ତ୍ର କରିବାକୁ ଯାଉଛି । ଗୁଇନ୍ଦା ବିଭାଗରୁ ମିଳିଥିବା ଖବର ଅନୁଯାୟୀ ଭାରତରେ ଆତଙ୍କବାଦୀ କାର୍ଯ୍ୟାକଳାପ ବଢ଼ାଇବା ପାଇଁ ଚୀନ୍ ପାକିସ୍ତାନ ସହ ଏକ ଡିଲ୍ କରିଛି । ପାକିସ୍ତାନ ଏଲ୍ଓସି ଓ ଅନ୍ତର୍ଜାତୀୟ ସୀମାରେ ବହୁତ ଅସ୍ତ୍ରଶସ୍ତ୍ର ଠୁଳ କରିବ ।
ଏଥିପାଇଁ ଚୀନ୍ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି । ଏଥି ସହ ଚୀନ୍ ଠାରୁ ବେଲୁନ୍ ବର୍ଣ୍ଣ ସ୍ପାଇ ରାଡାର ମଧ୍ୟ କ୍ରୟ କରିଛି । ଯାହାକୁ ଏଲ୍ଓସି ଉପରେ ନିୟୋଜିତ କରିବ । ଏହି ରାଡାର ଦ୍ୱାରା ଭାରତୀୟ ସେନାଙ୍କ ଗତିବିଧି ଉପରେ ନଜର ରଖିପାରିବ । ଏହାସହ ଜମ୍ମୁ କଶ୍ମୀର ସୀମାରେ ମିଡିୟମ୍ ରେଞ୍ଜ୍ ମାନବ ରହିତ ବିମାନକୁ ମଧ୍ୟ ନିୟୋଜିତ କରିବ ।
କଶ୍ମୀର ଘାଟିରେ ଆତଙ୍କ ରଚିବା ପାଇଁ ପାକିସ୍ତାନ ଚୀନ୍ ସହ ମିଶି ସବୁପ୍ରକାର ଉଦ୍ୟମ ଜାରି ରଖିଛି । ଚୀନ୍ ମଧ୍ୟ ତା’ର ଦୋହରା ନୀତିରୁ ବାଦ୍ ଯାଇନି । ଗୋଟିଏ ପକ୍ଷରେ ଭାରତ ସହ ଭଲ ସମ୍ପର୍କ ରଖି ଚାଲିବାକୁ ନିକଟରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି । ହେଲେ ଏପଟରେ ଚୀନ୍ ତା’ର ଦୋହରା ସ୍ୱଭାବ ଜାରି ରଖିଛି । ପାକିସ୍ତାନ୍କୁ ଭାରତ ବିରୋଧରେ ଲଢ଼ିବା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଡିଲ୍ କରିଛି ।
ପାକିସ୍ତାନ ବ୍ରିଗେଡିୟର ମୋହମ୍ମଦ୍ ଜଫର ଇକ୍ବାଲ୍ ଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ଅସ୍ତ୍ରଶସ୍ତ୍ର କିଣା ଯାଞ୍ଚ କରିବା ପାଇଁ ଚୀନ୍ ଯାଇଥିବା ଜଣାଯାଇଛି ବୋଲି ଗୁଇନ୍ଦା ବିଭାଗ ପ୍ରକାଶ କରିଛି ।