ନିରପେକ୍ଷ ତଦନ୍ତ ପାଇଁ ଭାରତକୁ ପ୍ରସ୍ତାବ ଦେଲେ ପାକ୍ ପ୍ରଧାନମନ୍ତ୍ରୀ ସେହବାଜ ସରିଫ, ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ସଂପର୍କରେ ତିକ୍ତତା ବଢିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଅନେକ ନିଷ୍ପତ୍ତି ନିଆଯାଇଛି । ସେପଟେ ଭାରତର ଆକ୍ସନରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ନିରପେକ୍ଷ ତଦନ୍ତ ପାଇଁ ପାକ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଭାରତକୁ ପ୍ରସ୍ତାବ ଦେଇଛନ୍ତି । ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଥିବା ସରିଫ କହିଛନ୍ତି ।
ତେବେ ଦେଶର ସାର୍ବଭୌମତ୍ବ ପ୍ରତି ଆଞ୍ଚ ଆସିଲେ ଛଡାଯିବ ନାହଁ ବୋଲି ସରିଫ କହିଛନ୍ତି । ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ପାକିସ୍ତାନକୁ ଜଳ ପ୍ରବାହକୁ ରୋକିବା କିମ୍ବା ବଦଳାଇବା ପାଇଁ ଯେକୌଣସି ପ୍ରୟାସ ଯୁଦ୍ଧ କରିବା ସହିତ ସମାନ ହେବ । ସେ କହିଛନ୍ତି, “ଆମେ ଭାରତର ପ୍ରତ୍ୟେକ ଆକ୍ରମଣର ଜବାବ ଦେବୁ।”
ପୂର୍ବରୁ ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଭାରତକୁ ସିଧାସଳଖ ଧମକ ଦେଇଥିଲେ । ସେ କହିଥିଲେ, ମୁଁ ସିନ୍ଧୁ ନଦୀ କୂଳରେ ଠିଆ ହୋଇ ଭାରତକୁ କହିବାକୁ ଚାହେଁ ଯେ ସିନ୍ଧୁ ଆମର ଏବଂ ଏହା ଆମର ରହିବ। ଆମର ପାଣି ଏହି ନଦୀ ଦେଇ ପ୍ରବାହିତ ହେବ ନଚେତ୍ ସେମାନଙ୍କର ରକ୍ତ ଏଥିରେ ପ୍ରବାହିତ ହେବ।
ସୂଚନାଯୋଗ୍ୟ, ପୂର୍ବରୁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ପାକିସ୍ତାନ ନାଗରିକଙ୍କୁ ଭାରତରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଅଟାରୀ- ୱାଘା ଚେକପୋଷ୍ଟକୁ ବନ୍ଦ କରାଯାଇଛି। ନୂଆଦିଲ୍ଲ ସ୍ଥିତ ପାକିସ୍ତାନ ହାଇକମିସନରେ ଥିବା ଅଲୋଡା କର୍ମଚାରୀଙ୍କୁ ତଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇସଲାମାବାଦରେ ଥିବା ଭାରତର ତିନି ସେନାର ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରିଛି ନୂଆଦିଲ୍ଲୀ ।
Also Read : ଲଣ୍ଡନ ହାଇକମିଶନଙ୍କ ଆଗରେ ବିକ୍ଷୋଭ କରୁଥିଲେ ଭାରତୀୟ, ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ଦେଖାଇ ଧମକ ଦେଲେ…