ଦୀପାବଳିରେ ହୋଲିର ଶୁଭେଚ୍ଛା ଜଣାଇଲେ ସିନ୍ଧ ମୁଖ୍ୟମନ୍ତ୍ରୀ, ଭୟଙ୍କର ଟ୍ରୋଲ କଲେ ଲୋକେ

ଦୀପାବଳି ପର୍ବ ସାରା ଦେଶରେ ଗୁରୁବାର ଦିନ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଠାରୁ ଆରମ୍ଭ କରି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପର୍ଯ୍ୟନ୍ତ ସମସ୍ତେ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି। ପଡ଼ୋଶୀ ପାକିସ୍ତାନର ନେତା ମଧ୍ୟ ଏ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ପାକ୍‌ ମନ୍ତ୍ରୀଙ୍କ ଏହି ଅଭିନନ୍ଦନ ତାଙ୍କ ପାଇଁ ବୁମେରାଂ ପାଲଟିଛି। କାରଣ ପାକିସ୍ତାନର ଏହି ମନ୍ତ୍ରୀ ଜଣକ ଦୀପାବଳିରେ ହୋଲିର ଶୁଭକାମନା ଜଣାଇଛନ୍ତି।

ପାକିସ୍ତାନ ସିନ୍ଧର ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଲୀ ଶାହ ହୋଲି ଓ ଦୀପାବଳି ମଧ୍ୟରେ ତଫାତ୍‌ ବୁଝିପାରିନାହାନ୍ତି। ଏଣୁ ଦୀପାବଳିରେ ସେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ତେଣୁ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ଟ୍ରୋଲ କରାଯାଇଛି। ଲୋକମାନେ ଟ୍ରୋଲ କରିବା ପରେ ଅବଶ୍ୟ ମନ୍ତ୍ରୀ ନିଜ ଭୁଲ ବୁଝିପାରିଛନ୍ତି ଓ ପୋଷ୍ଟକୁ ଡିଲିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ ଯେ ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଲୀ ଶାହ ନିଜ ଟ୍ଵିଟର ଆକାଉଣ୍ଟରେ ହୋଲିର ଶୁଭେଚ୍ଛା ଜଣାଇ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ଶାହଙ୍କର ବି ଏକ ଫଟୋ ରହିଛି ଓ ସେଥିରେ ହୋଲିର ଶୁଭକାମନା ଲେଖାଯାଇଛି। ଟ୍ଵିଟରରେ ଏହି ପୋଷ୍ଟ ଭାଇରାଲ ହେବା ପରେ ଲୋକମାନେ ଶାହଙ୍କୁ ପ୍ରବଳ ମାତ୍ରାରେ ଟ୍ରୋଲ କରିଥିଲେ। ତାଙ୍କ ଦାୟିତ୍ୱହୀନତା ଉପରେ ବି କିଛି ଲୋକ ପ୍ରଶ୍ନ କରିଥିଲେ। ପ୍ରବଳ ଟ୍ରୋଲ ହେବା ପରେ ଶାହ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି।

ପ୍ରକାଶ ଯେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଦେଶର ସବୁଠୁ ଅଧିକ ହିନ୍ଦୁ ଲୋକ ବସବାସ କରୁଛନ୍ତି। ୨୦୧୭ ଜନ ଗଣନା ମୁତାବକ, ସିନ୍ଧରେ ୪୧ ଲକ୍ଷ ୮୦ ହଜାର ହିନ୍ଦୁ ରହୁଛନ୍ତି ଓ ଏହି ଅଞ୍ଚଳରେ ଅନେକ ଜଣାଶୁଣା ହିନ୍ଦୁ ମନ୍ଦିର ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.