ସୁଧୁରୁନି ପାକିସ୍ତାନ : ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଆକ୍ରମଣ, ସେନାକୁ କଡା ପଦକ୍ଷେପ ପାଇଁ ନିର୍ଦ୍ଦେଶ

ସୁଧୁରୁନି ପାକିସ୍ତାନ । ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଅସ୍ତ୍ର ବିରତିର ଉଲଂଘନ କରିଛି ପାକିସ୍ତାନ । ଜମ୍ମୁ କଶ୍ମୀର ର ଏକାଧିକ ସ୍ଥାନରେ କରିଛି ଗୁଳିଗୋଳା ବର୍ଷଣ । ଉଦ୍ଧାମପୁର ରେ ପାକର ଡ୍ରୋନ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ଆଖନଉ , ରଜୋରିରେ ପାକର ଗୁଳିଗୋଳା ଓ ଡ୍ରୋନ ବର୍ଷଣ । ବିଏସଏଫ ପକ୍ଷରୁ ଦିଆଯାଉଛି ମୁହଁ ତୋଡ ଜବାବ । ଜମ୍ମୁ କଶ୍ମୀର ର ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ ନେଇ ମୁଖ୍ୟମନ୍ତ୍ରୀ ଏକ୍ସ ରେ ଉଲ୍ଲେଖ କରିଛନ୍ତି ।

ଏଲଓସି ଠାରୁ ଭାରତର ପଶ୍ଚିମ ସୀମାନ୍ତରେ ଜାରି ରଖିଛି ତୁହାକୁ ତୁହା ମିସାଇଲ ଓ ଡ୍ରୋନ ମାଡ଼। ପାକିସ୍ତାନ ଆକ୍ରମଣର କଡ଼ା ଜବାବ ରଖିଛି ଭାରତୀୟ ସେନା। ଚାରିଟି ପାକିସ୍ତାନ ଡ୍ରୋନ ମାରି ଖସାଇଛି ଭାରତୀୟ ସେନା । ବିଭିନ୍ନ ସ୍ଥାନରେ ବ୍ଲାକ ଆଉଟ ଘୋଷଣା । ଗୁଜୁରାଟର କଛ ଅଂଚଳରେ ଅନେକ ଡ୍ରୋନ ଦେଖାଯାଇଥିବାରୁ ସମ୍ପୂର୍ଣ ବ୍ଲାକଆଉଟ ଘୋଷଣା କରାଯାଇଥିବା କହିଲେ ଗୁଜରାଟ ଗୃହମନ୍ତ୍ରୀ ।

ଅସ୍ତ୍ରବିରତି ଉଲଂଘନ ନେଇ ପ୍ରେସ ମିଟ ଜରିଆରେ ସୂଚନା ଦେଲା ବୈଦେଶିକ ମନ୍ତ୍ରାଳୟ । ଏ ନେଇ ସ୍ପଷ୍ଟ କଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି । ସେ କହିଥିଲେ, ପାକିସ୍ତାନ ସେନା ଘୋର ଅସ୍ତ୍ର ବିରତି ଉଲଂଘନ କରିଛି । ସେନାକୁ କଡା ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶଯୋଗ୍ୟ, ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଘୋଷଣା ପରେ ଆଜି ଅପରାହ୍ଣ ୫ଟାରୁ ବନ୍ଦ ରହିଥିଲା ଯୁଦ୍ଧ । ଏ ନେଇ ସୂଚନା ଦେଇଥିଲେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି । ଆଜି ଅପରାହ୍ଣ ୩ଟା ୩୫ରେ ପାକିସ୍ତାନ ଡିଜିଏମଓ, ଭାରତର ଡିଜିଏମଓଙ୍କ ସହ କଥା ହୋଇଥିଲେ। ସାମରିକ ଆକ୍ସନ ବନ୍ଦ କରିବାକୁ କଥା ହୋଇଥିଲେ ଦୁଇ ପକ୍ଷ। ଜଳ ସ୍ଥଳ କିମ୍ବା ଆକାଶ ମାର୍ଗରୁ କେହି କାହା ଉପରେ ଆକ୍ରମଣ କରିବେ ନାହିଁ । ଭାରତୀୟ ସମୟ ଅପରାହ୍ଣ ୫ଟାରୁ ଏହା ଲାଗୁ ହେଲା ବୋଲି କହିଥିଲେ । ୧୨ ତାରିଖରେ ପୁଣି ଥରେ ଡିଜିଏମଓ ସ୍ତରୀୟ ଆଲୋଚନା ହୋଇଥାନ୍ତା । ହେଲେ ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନ ପରେ ପୁଣି ଥରେ ଦୁଇ ଦେଶ ଯୁଦ୍ଧ ମୁହାଁ ହୋଇଛନ୍ତି ।