ବିନାଶକାରୀ ବନ୍ୟା ପରେ ମଶାଙ୍କ ପ୍ରାଦୁର୍ଭାବ! ଭାରତଠାରୁ ୬୨ ଲକ୍ଷ ମଶାରୀ କିଣିବେ ପାକିସ୍ତାନ ସରକାର

ଭାରତଠାରୁ ୬୨ ଲକ୍ଷ ମଶାରୀ କିଣିବ ପାକିସ୍ତାନ। ପାକିସ୍ତାନ ସରକାର ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଭାରତଠାରୁ ୬୨ ଲକ୍ଷ ମଶାରୀ କିଣିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି, ଯଦ୍ଦ୍ଵାରା କି, ଗତ ମାସରେ ହୋଇଥିବା ବିନାଶକାରୀ ବନ୍ୟା ପରେ ଲୋକଙ୍କୁ ରୋଗ ଦାଉରୁ ରକ୍ଷା କରାଯାଇ ପାରିବ। ସୂଚନା ମୁତାବକ, ଚଳିତ ବର୍ଷ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାରେ ୧୬୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ କହିବା ହେଲା, ବନ୍ୟା ପ୍ରଭାବିତ ଦେଶର ୩୨ଟି ଜିଲ୍ଲାରେ ମ୍ୟାଲେରିଆ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏଠାରେ ହଜାର ହଜାର ଶିଶୁ ମଶା କାମୁଡ଼ା ଦ୍ୱାରା ହେଉଥିବା ରୋଗରେ ସଂକ୍ରମିତ ଅଛନ୍ତି।

ଅଧିକାରୀମାନେ କହିଛନ୍ତି କି, ବନ୍ୟା ପ୍ରଭାବିତ ଅଞ୍ଚଳରେ ମ୍ୟାଲେରିଆ ରୋଗରୁ ରକ୍ଷା ନିମନ୍ତେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ମାସରେ ଭାରତଠାରୁ ମଶାରୀ କିଣିବା ପାଇଁ ଅନୁମତି ନେଇଛି। ଗ୍ଲୋବାଲ ଫଣ୍ଡ୍‌ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)’ ପାକିସ୍ତାନରେ ବନ୍ୟା ପ୍ରଭାବିତଙ୍କ ପାଇଁ ଭାରତଠାରୁ ମଶାରୀ କିଣିବା ନିମନ୍ତେ ବିତ୍ତୀୟ ରାଶି ଉପଲବ୍ଧ କରାଇବ। ପାକିସ୍ତାନୀ ଅଧିକାରୀମାନେ ଆହୁରି ମଧ୍ୟ କହିଥିଲେ କି, ସେମାନେ ବହୁତ ଜଲ୍‌ଦି ମଶାରୀ ପାଇବା ପାଇଁ ଯୋଜନା କରୁଛନ୍ତି। ଆଶା ରଖାଯାଇଛି ଯେ ଏହା ଆସନ୍ତା ନଭେମ୍ବର ମଧ୍ୟବର୍ତ୍ତୀ ସୁଦ୍ଧା ଓ୍ଵାଘା ମାର୍ଗରୁ ପ୍ରାପ୍ତ ହୋଇଯିବ।

ସୂଚନାଥାଉ କି, ଗତ ମାସରେ ଡବ୍ଲ୍ୟୁଏଚ୍‌ଓ ବନ୍ୟା ପରବର୍ତ୍ତୀ ରୋଗ ବିସ୍ତାର କାରଣରୁ ପାକିସ୍ତାନରେ ଦ୍ୱିତୀୟ ବିପର୍ଯ୍ୟୟର ସମ୍ଭାବନାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲା। ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଘେବ୍ରେୟସସ୍‌ କହିଛନ୍ତି, ପାକିସ୍ତାନରେ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ପାଣି ପଶି ଯାଇଛି। ଲୋକମାନେ ନିଜ ଘରୁ ଦୂରକୁ ଚାଲି ଯାଇଛନ୍ତି। ସରକାର ଅପରିଷ୍କାର ପାଣିରୁ ରୋଗ ବିସ୍ତାରକୁ କମ୍‌ କରିବା ପାଇଁ ସ୍ୱଚ୍ଛ ପାନୀୟ ଜଳ ଏବଂ ସୁରକ୍ଷିତ ଶୋଚାଳୟର ବ୍ୟବସ୍ଥା କରୁଛନ୍ତି।

Leave A Reply

Your email address will not be published.