ପାକିସ୍ତାନ ସେନା କବଜାରେ ବିଏସଏଫ ଯବାନ, ଭୁଲବଶଃତ ପାର କରିଥିଲେ ସୀମା

ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ରହିଛି । ଆଉ ଏଭଳି ସମୟରେ ଫିରୋଜପୁରର ଭାରତ-ପାକିସ୍ତାନ ସୀମାରେ ଜଣେ ବିଏସଏଫ ଯବାନ ଭୁଲବଶତଃ ସୀମା ଅତିକ୍ରମ କରି ପାକିସ୍ତାନରେ ପହଞ୍ଚି ଯାଇଛନ୍ତି । ଏହି ଘଟଣା ପରେ ପାକିସ୍ତାନୀ ରେଞ୍ଜର୍ସମାନେ ତାଙ୍କୁ ଉଠାଇ ନେଇଥିବା ସୂଚନା ରହିଛି । ତାଙ୍କୁ ଫେରାଇ ଆଣିବା ପାଇଁ ଦୁଇଦେଶର ସୁରକ୍ଷାବଳ ମଧ୍ୟରେ କଥାବାର୍ତ୍ତା ହେଉଛି ।
ଖବର ମୁତାବକ, ୧୮୨ ବାଟାଲିୟନ କନଷ୍ଟେବଳ ପିକେ ସିଂ ଫିରୋଜପୁର ସୀମାରେ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ । ଯବାନ ଜଣକ ବର୍ଦ୍ଦିରେ ଥିବା ସହିତ ପାଖରେ ସର୍ଭିସ ରାଇଫଲ ରହିଥିଲା । ବିଏସଏଫ ଯବାନ ଜଣକ ଫସଲ ଅମଳ କରୁଥିବା ଚାଷୀମାନଙ୍କ ଉପରେ ନଜର ରଖିବା ପାଇଁ ଯାଇଥିଲେ । ଏହି ସମୟରେ ସେ ଭୁଲବଶତଃ ପାକ ସୀମା ଅତିକ୍ରମ କରିବାରୁ ରେଞ୍ଜର୍ସମାନେ ତାଙ୍କୁ ଘଟଣାସ୍ଥଳରୁ ଉଠାଇ ହେପାଜତକୁ ନେଇଯାଇଛନ୍ତି ।
ଏହି ଘଟଣା ପରେ ବିଏସଏଫ ଅଧିକାରୀମାନେ ସୀମାରେ ପହଞ୍ଚି ସାରିଛନ୍ତି ଏବଂ ସୈନିକଙ୍କୁ ମୁକ୍ତ କରିବା ପାଇଁ ସୀମାରେ ପାକ୍ ରେଞ୍ଜର୍ସଙ୍କ ସହ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, ଜିରୋ ଲାଇନ ପୂର୍ବରୁ ଏହି ଅଞ୍ଚଳରେ ଚାଷୀମାନଙ୍କୁ ଚାଷ କରିବାର ଅନୁମତି ଦିଆଯାଇଛି । ଏହା ସତ୍ତ୍ବେ ବି ବିଏସଏଫ ଯବାନମାନେ ଫସଲ ବୁଣା ଏବଂ ଅମଳ ସମୟରେ ସୁରକ୍ଷା ଦୃଷ୍ଟିରୁ ଚାଷୀଙ୍କ ସହିତ ରହିଥାଆନ୍ତି ।
ଏପ୍ରିଲ ୨୨ରେ ପହଲଗାମରେ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୨୫ ଭାରତୀୟଙ୍କ ସହିତ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଲସ୍କର-ଏ-ତୋଏବାର ପ୍ରକ୍ସୀ ୱିଙ୍ଗ ଦ ଟିଆରଏଫ ନିଜକୁ ଦାୟୀ କରିଛି । ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର । ସମସ୍ତ ପାକିସ୍ତାନୀଙ୍କୁ ୩ ଦିନ ଭିତରେ ଭାରତ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ଭିସା କେବଳ ୨୭ ଏପ୍ରିଲ ଯାଏଁ ମାନ୍ୟ ରହିଛି । ପାକ୍ ନାଗରିକଙ୍କ ମେଡିକାଲ ଭିସା ୨୯ ଏପ୍ରିଲ ଯାଏଁ ମାନ୍ୟ ରହିଛି । ଭାରତ ଗତକାଲି ଅଟାରୀ- ୱାଘା ସୀମା ବନ୍ଦ କରିଦେଇଥିଲା । ଆଜି ପାକିସ୍ତାନ ୱାଘା ସୀମା ବନ୍ଦ କରିଦିଆଯାଇଛି । ସେହିପରି ପାକିସ୍ତାନ ନିଜର ଆକାଶ ମାର୍ଗ ଭାରତ ପାଇଁ ବନ୍ଦ କରିଛି । ଭାରତକୁ ଆସୁଥିବା କର୍ମସିଆଲ ବିମାନ ପାଇଁ ନିଜର ଏୟାର ସ୍ପେସ ବନ୍ଦ କରିଦିଆଯାଇଛି ।
Also Read : ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କଲା ଭାରତ, ସେପଟେ ଏୟାର ସ୍ପେସ ବନ୍ଦ କଲା ପାକିସ୍ତାନ