ଆକ୍ରମଣର ଲାଇଭ୍ ଭିଡିଓ ରେକର୍ଡିଂ ପାଇଁ ଆତଙ୍କୀ ପିନ୍ଧିଥିଲେ ବଡିକ୍ୟାମ୍ ! କଠୁଆ ଆକ୍ରମଣରେ ନୂଆ ଖୁଲାସା

ଜମ୍ମୁ-କାଶ୍ମୀରର କଠୁଆରେ ରବିବାର ହୋଇଥିବା ଆତଙ୍କୀ ଆକ୍ରମଣରେ ନୂଆ ଖୁଲାସା ହୋଇଛି । ସୂତ୍ର ମୁତାବକ, କଠୁଆ ଆକ୍ରମଣ ବେଳେ ଆତଙ୍କବାଦୀମାନେ ବଡିକ୍ୟାମ୍ ପିନ୍ଧିଥିଲେ । ପାକିସ୍ତାନରେ ବସିଥିବା ଆତଙ୍କବାଦୀଙ୍କ ଲିଡରମାନେ ସେମାନଙ୍କୁ ଆକ୍ରମଣର ଲାଇଭ୍ ଭିଡିଓ ରେକର୍ଡ କରିବାକୁ ଆଦେଶ ଦେଇଥିଲେ ।
ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରରେ ଭାରତୀୟ ସେନା ବାହିନୀ ସହ ସିଧାସଳଖ ମୁକାବିଲା କରିବାରେ ବିଫଳ ହେଉଛନ୍ତି । ତେଣୁ ଏଠାରେ ଆତଙ୍କବାଦ ବିସ୍ତାର ପାଇଁ ସେମାନେ ଡିଜିଟାଲ ଟେରର୍ ଯୋଜନା ପ୍ରସ୍ତୁତ କରିଛନ୍ତି । ଗୁଇନ୍ଦା ଏଜେନ୍ସିର ସୂତ୍ର ମୁତାବକ, ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଡିଜିଟାଲ ଡିଭାଇସ୍ ଟ୍ରେଣ୍ଡ୍ ମାଧ୍ୟମରେ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଉଛି । ନିକଟରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀଙ୍କ ନିକଟରୁ କିଛି ସାମଗ୍ରୀ ମିଳିଥିଲା, ଯେଉଁଥିରୁ ଏହାର ଖୁଲାସା ହୋଇଛି ।
ଆତଙ୍କବାଦୀମାନଙ୍କୁ ଇନ୍କ୍ରିପ୍ଟେଡ ଡିଜିଟାଲ ମ୍ୟାପ୍, ଅଫ୍ଲାଇନ ଲୋକେସନ ଆପ୍ ସହିତ କାଶ୍ମୀରରେ ଅନୁପ୍ରବେଶ କରାଇବାକୁ ଷଡ଼ଯନ୍ତ୍ର ରଚାଯାଇଛି । ଗତ କିଛି ମାସ ମଧ୍ୟରେ ନିହତ ଆତଙ୍କବାଦୀଙ୍କ ପାଖରୁ ଇନ୍କ୍ରିପ୍ଟେଡ ଡିଜିଟାଲ ମ୍ୟାପ୍ ଜବତ ହୋଇଛି । ଡିଜିଟାଲ ମ୍ୟାପ୍ରେ ପୂର୍ବରୁ ହିଁ ଅନୁପ୍ରବେଶ ରାସ୍ତା ଫିଡ୍ ହୋଇଥାଏ, ଯାହାକୁ ଆତଙ୍କୀମାନେ ବ୍ୟବହାର କରିଥାଆନ୍ତି ।
କେବଳ ଏତିକି ନୁହେଁ, ସୀମାପାର୍ରୁ ମିଳୁଥିବା ନିର୍ଦ୍ଦେଶ ପାଇଁ ମଧ୍ୟ ଆତଙ୍କବାଦୀମାନେ ଏହି ଆପ୍ ବ୍ୟବହାର କରନ୍ତି । ଆକ୍ରମଣର ଲାଇଭ୍ ଭିଡିଓ ରେକର୍ଡିଂ ପାଇଁ ଆତଙ୍କବାଦୀମାନଙ୍କୁ ବଡିକ୍ୟାମ୍ ଏବଂ ହ୍ୟାଣ୍ଡକ୍ୟାମ୍ ଦିଆଯାଇଛି ।
ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ, ଏହି ମାମଲାରେ ପୋଲିସ ୨୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି । ଯାଞ୍ଚରୁ ଜଣାପଡ଼ିଛି ଯେ ଆତଙ୍କୀମାନେ ଗାଁରେ ପଶି ବନ୍ଧୁକ ମୁନରେ ଅନେକ ଗ୍ରାମବାସୀଙ୍କୁ ଖାଦ୍ୟ ତିଆରି କରିବାକୁ ବାଧ୍ୟ କରିଥିଲେ । ଏମାନେ ସୁରକ୍ଷା ବାହିନୀଙ୍କ ଅସ୍ତ୍ରଶସ୍ତ୍ର ଛଡ଼ାଇବାକୁ ମଧ୍ୟ ଯୋଜନା କରିଥିଲେ, କିନ୍ତୁ ସଫଳ ହୋଇ ନ ଥିଲେ । ଆକ୍ରମଣରେ ଆହତ ହେବା ସତ୍ତ୍ୱେ ଯବାନମାନେ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦେଇଥିଲେ ଏବଂ ସେମାନଙ୍କ ଯୋଜନା ଭଣ୍ଡୁର କରିଦେଇଥିଲେ ।