ପାକିସ୍ତାନୀ ମହିଳା ହ୍ଵାଟସ୍‌ଆପରେ ପଠାଇ ଦେଲେ ଏମିତି ମେସେଜ, ଶେଷରେ କୋର୍ଟ ଶୁଣାଇଲେ ଫାଶି ଦଣ୍ଡ! ଜାଣନ୍ତୁ କ’ଣ ରହିଛି ମାମଲା

ପାକିସ୍ତାନରୁ ଏମିତି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଅପମାନିତ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ କୋର୍ଟ ତାଙ୍କୁ ଫାଶି ଦଣ୍ଡ ଶୁଣାଇଛନ୍ତି। ମହିଳାଙ୍କ ଉପରେ ଅଭିଯୋଗ ରହିଛି କି, ସେ ହ୍ଵାଟସ୍‌ଆପ ମେସେଜରେ ପ୍ୟାଙ୍ଗବର ମହମ୍ମଦଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। ଏହି ମାମଲା ଯଦିଓ ଟିକିଏ ପୁରୁଣା, କିନ୍ତୁ ନିକଟରେ ଏହା ପୁଣିଥରେ ଚର୍ଚ୍ଚା ପରସରକୁ ଆସିଛି। ଯେତେବେଳେ ଏଠାକାର କୋର୍ଟ ମହିଳାଙ୍କୁ ଏହି ମାମଲାରେ ମୃତ୍ୟୁଦଣ୍ଡ ଶୁଣାଇଲେ, ତ ମାମଲାକୁ ନେଇ ଚର୍ଚ୍ଚା ପୁଣି ଜୋର୍‌ ଧରିଲା।

ବାସ୍ତବରେ ଏହି ଘଟଣା ପାକିସ୍ତାନର ରାୱଲପିଣ୍ଡି କୋର୍ଟ ସହ ଜଡିତ ରହିଛି। ଏକ ରିପୋର୍ଟ ମୁତାବକ, କୋର୍ଟ ଅଭିଯୋଗକାରୀ ଫାରୁକ୍ ହସନାତଙ୍କ ଅଭିଯୋଗ ଉପରେ ବୁଧବାର ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ମହିଳାଙ୍କ ନାମ ଅନିକା ଅତୀକ୍‌ ଏବଂ ତାଙ୍କ ବିରୋଧରେ ଏ ନେଇ ୩ଟି ମାମଲା ରୁଜୁ କରାଯାଇଛି। ଅଭିଯୋଗରେ କୁହାଯାଇଛି ଯେ ମହିଳା ଜଣକ ପ୍ୟାଙ୍ଗବର ମହମ୍ମଦ ସାହେବଙ୍କୁ ଘୋର ଅବମାନନା କରିଛନ୍ତି। ଇସଲାମକୁ ଅପମାନିତ କରିବା ସହ ସାଇବର ନିୟମ ବି ଉଲ୍ଲଂଘନ କରିଛନ୍ତି।

ମହିଳା ଜଣକ ହ୍ଵାଟସ୍‌ଆପରେ ପଠାଇଥିବା ନିଜର ଏକ ମେସେଜରେ ଏ ସବୁ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏହି ମେସେଜକୁ ସେ ୨୦୨୦ରେ ନିଜର ବନ୍ଧୁ ଫାରୁକଙ୍କୁ କ୍ରୋଧିତ ଅବସ୍ଥାରେ ପଠାଇ ଦେଇଥିଲେ। ଫାରୁକ୍ ଅନିକାଙ୍କୁ ମେସେଜ ଡିଲିଟ୍‌ କରିବାକୁ ଏବଂ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ। କିନ୍ତୁ ସେ ମନା କରି ଦେଇଥିଲେ। ଏହାପରେ ଫାରୁକ୍ ଅନିକାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପ୍ରାଥମିକ ଅନୁସନ୍ଧାନ ପରେ ପୋଲିସ ଅନିକାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା।

ଏହାପରେ ଏହି ମାମଲା ରାୱଲପିଣ୍ଡି କୋର୍ଟରେ ପହଞ୍ଚିଥିଲା। କୋର୍ଟ ବୁଧବାର ମହିଳାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଫାରୁକ୍ ଅନିକା ଅତୀକଙ୍କ ବିରୋଧରେ ୨୦୨୦ରେ ହିଁ ଅଭିଯୋଗ କରିଥିଲେ। ଅନିକା ଓ ଫାରୁକ୍ ପୂର୍ବରୁ ପରସ୍ପରର ବନ୍ଧୁ ଥିଲେ। କିନ୍ତୁ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇ ଯାଇଥିଲା।