ଇସ୍ଲାମ୍ବାଦ୍ : ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ଓ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ କରିବା(ଟେରର୍ ଫଣ୍ଡ) ମାମଲାରେ ଆତଙ୍କବାଦୀ ହାଫିଜ୍ ସଇଦ୍କୁ ପାକିସ୍ତାନ କୋର୍ଟ ୧୦ ବର୍ଷ ଜେଲ୍ ଦଣ୍ଡ ଆଦେଶ ଦେଇଛି । ପାକିସ୍ତାନର ଆଣ୍ଟି ଟେରୋରିଜମ୍ କୋର୍ଟ ‘ଜମାତ୍-ଉଦ୍-ଦାବା’ ସଂଗଠନର ମୁଖ୍ୟ ହାଫିଜ ବିରୋଧରେ ଏହି ରାୟ ଦେଇଛନ୍ତି ।
ଏବେ ଲାହୋର୍ ଜେଲ୍ରେ ବନ୍ଦୀ ଭାବେ ରହିଛି ହାଫିଜ୍ । ଏଥି ପୂର୍ବରୁ ହାଫିଜ୍ର ନିକଟତର କୁହାଯାଉଥିବା ଜମାତ୍ ଉଦ୍ ଦାବାର ପ୍ରବକ୍ତା ୟାହ୍ଵା ମୁଜାହିଦ୍କୁ ମଧ୍ୟ ଟେରର ଫଣ୍ଡିଂ ମାମଲାରେ କୋର୍ଟ ୩୨ ବର୍ଷ ଦଣ୍ଡ ଶୁଣାଇଛି । ମୁଜାହିଦ୍ ସହିତ ଆତଙ୍କୀ ସଂଗଠନର ଅନ୍ୟ ଦୁଇ ନେତା ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଗତବର୍ଷ ଫେବ୍ରୁଆରୀରେ ଲାହୋର ଆଣ୍ଟି ଟେରୋରିଜମ୍ କୋର୍ଟ ଆତଙ୍କୀ କାର୍ଯ୍ୟକଳାପକୁ ସହାୟତା ଦେଉଥିବା ନେଇ ୧୧ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣ ମାମଲାରେ ହଫିଜ୍ ସଇଦ୍ ଭାରତର ଓ୍ଵାଣ୍ଟେଡ୍ ତାଲିକାରେ ରହିଛି ।
ଏହି ଆକ୍ରମଣରେ ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ୧୬୬ ଜଣ ଲୋକଙ୍କୁ ହତ୍ୟା କରିଥିଲେ ଓ ଶତାଧିକ ଲୋକ ଏଥିରେ ଆହତ ହୋଇଥିଲେ । ଆମେରିକା ଓ ଯୁକ୍ତ ରାଜ୍ୟ ପ୍ରଥମ ଥର ପାଇଁ ହାଫିଜ୍କୁ ‘ଆନ୍ତର୍ଜାତିକ ଆତଙ୍କବାଦୀ ’ ଭାବେ ଘୋଷଣା କରିଥିଲା ।