ଆଫଗାନିସ୍ତାନରେ ପାକିସ୍ତାନର ସିରିଜ ଏୟାର ଷ୍ଟ୍ରାଇକ ; ୧୫ ମୃତ, ଅନେକ ଆହତ
ଆଫଗାନିସ୍ତାନରେ ପାକିସ୍ତାନର ସିରିଜ ଏୟାର ଷ୍ଟ୍ରାଇକ । ଆଫଗାନର ପକଟିକାରେ ଏୟାର ଷ୍ଟ୍ରାଇକରେ ୧୫ ମୃତ, ଅନେକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ମହିଳା ଓ ଶିଶୁ । ଗତରାତିରେ ୭ଟି ଗାଁକୁ ଟାର୍ଗେଟ କରି ଆକ୍ରମଣ ହୋଇଛି । ପାକିସ୍ତାନୀ ଜେଟରୁ ବୋମା ମାଡ଼ କରାଯାଇଥିବା କୁହାଯାଉଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବର୍ମାଲରେ ମର୍ଗ ବଜାର କ୍ଷତିଗ୍ରସ୍ତ ହୋଇଛି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ ।
ଏହି ଆକ୍ରମଣକୁ ନେଇ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଛି । ଏୟାରଷ୍ଟ୍ରାଇକର କଡ଼ା ଜବାବ ଦିଆଯିବ ବୋଲି ତାଲିବାନର ପ୍ରତିରକ୍ଷା ମନ୍ତ୍ରାଳୟ ଚେତାବନୀ ଦେଇଛି । ଆକ୍ରମଣକୁ ନିନ୍ଦା କରିବା ସହ ୱାଜିରିସ୍ତାନୀ ଶରଣାର୍ଥୀଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା କହିଛି ତାଲିବାନ ପ୍ରତିରକ୍ଷା ମନ୍ତ୍ରାଳୟ । ଅନ୍ୟପଟେ ଏୟାରଷ୍ଟ୍ରାଇକ ନେଇ ପାକିସ୍ତାନ ପକ୍ଷରୁ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ । ସୀମା ନିକଟରେ ଥିବା ତାଲିବାନ ଆଡ୍ଡାକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା ଜଣାଯାଇଛି ।
ଏହା ବ୍ୟତୀତ ତାଲିବାନର ଅନେକ ତାଲିମ କେନ୍ଦ୍ର ମଧ୍ୟ ନଷ୍ଟ ହୋଇଯାଇଛି । ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ସୀମାବର୍ତ୍ତୀ ପାକ୍ଟିକା ରାଜ୍ୟର ଏକ ପାର୍ବତ୍ୟ ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି । ଏଥିରେ ବହୁ ସଂଖ୍ୟକ ସାଧାରଣ ନାଗରିକ ଆହତ ହୋଇଥିଲେ । ଯେଉଁ କାରଣରୁ ଏହି ଅଞ୍ଚଳରେ ଉତ୍ତେଜନା ଆହୁରି ବଢିଥିଲା । ସୂଚନା ମୁତାବକ, ଗତ କିଛି ମାସ ମଧ୍ୟରେ ପାକିସ୍ତାନୀ ତାଲିବାନ କିମ୍ବା ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ପାକିସ୍ତାନୀ ସୈନ୍ୟ ଉପରେ ଆକ୍ରମଣ କରିଚାଲିଥିଲେ ।