ଇଏ କି ଅମାନବୀୟତା, ୮ ବର୍ଷର ଶିଶୁ ହାତରେ ଟଏଲେଟ୍ ସଫା କରାଇଲେ ପଞ୍ଚାୟତ ସମିତି କର୍ମଚାରୀ

କୋଭିଡ ସଂକ୍ରମଣ କାଳରେ ଯେଉଁଠି ଲୋକମାନଙ୍କ ହୃଦୟରେ ସାହାଯ୍ୟ ଓ ସହାନୁଭୁତିର ମନୋଭାବ ସୃଷ୍ଟି ହେଉଛି ସେଠାରେ ଆଉ କିଛି ଅମଣିଷ ମାନଙ୍କର ଅମାନବୀୟ ଆଚରଣ ସାମ୍ନାକୁ ଆସିବାରେ ଲାଗିଛି । ଘଟଣାଟି ହେଉଛି ମହାରାଷ୍ଟ୍ର ରାଜ୍ୟର ବୁଲଧନା ମାରୁଦ୍ ଅଞ୍ଚଳ ଗ୍ରାମର | ଏଠାକାର ଏକ କୋଭିଡ୍ ଆଇସୋଲେସନ୍ ସେଣ୍ଟର ଟଏଲେଟ୍କୁ ଜଣେ ୮ ବର୍ଷର ଶିଶୁ ହାତରେ ସଫା କରାଇବା ଭଳି ଅତ୍ୟନ୍ତ ଲୋମହର୍ଷଣକାରୀ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ୮ ବର୍ଷର ଏହି କୋମଳମତି ଶିଶୁଟିକୁ ଟଏଲେଟ୍ ସଫା କରିବାକୁ ଧମକ ଦିଆଯାଇଥିବା ବେଳେ ଏହି କାମ କରିବା ପାଇଁ ତାକୁ ୫୦ ଟଙ୍କାର ଲୋଭ ମଧ୍ୟ ଦେଖାଯାଇଥିଲା । ଏପ୍ରକାର ଅମାନବୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ଏମିତି ଏକ ନିଷ୍ଠୁର ଘଟଣା ଲୋକଙ୍କ ସାଧାରଣ ଲୋକଙ୍କ ମନରେ ଗଭୀର ରେଖାପାତ କରିଛି ।

ସୂଚନା ଅନୁଯାୟୀ, ଜଣେ ପଞ୍ଚାୟତ ସମିତି କର୍ମଚାରୀ ଏହି ଶିଶୁଙ୍କୁ ଟଏଲେଟ୍ ସଫା କରିବା ପାଇଁ କହିଥିବା ଜଣାପଡିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ଏଠାକୁ ପରିଦର୍ଶନ କରିବାକୁ ଆସୁଥିବା ସମ୍ପର୍କରେ ସୂଚନା ମିଳିବା ପରେ ଏଠାରେ ସଫେଇ କାମ କରାଯାଇଥିଲା । ଟଏଲେଟ୍ ସଫା କାର୍ଯ୍ୟରେ ଜଣେ ଶିଶୁଙ୍କୁ ନିୟୋଜିତ କରାଯିବାର ଭିଡିଓ ଭାଇରାଲ ହେବା ପରେ ଏବେ ସଫେଇ କାମରେ ଛୋଟ ଛୋଟ ପିଲାମାନଙ୍କୁ ଲଗାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । କମିଟି ରିପୋର୍ଟ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.