ହସ୍ପିଟାଲ ଭିତରେ ପଶିଲା ପାନ୍ଥର, ରେସକ୍ୟୁ ଟିମ୍‌ ପହଞ୍ଚିବା ବେଳକୁ ଡିଆଁ ମାରିଲା ବାଘ

ହସ୍ପିଟାଲ ଭିତରେ ପଶିଲା ବାଘ । ଭୟରେ ଥରିଲେ ଲୋକେ । ରାଜସ୍ଥାନର ଜୟପୁରରେ ଘଟିଛି ଏଭଳି ଏକ ଘଟଣା । ଏଠାରେ ଏକ ଘରୋଇ ହସ୍ପିଟାଲର ଓ୍ୱାର୍ଡ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିଲା । ଆଶ୍ୱସ୍ତିକର କଥା ଯେ ସେହି ସମୟରେ କେହି ରୋଗୀ ଓ୍ୱାର୍ଡରେ ନ ଥିଲେ, କିନ୍ତୁ ପାଖ ଓ୍ୱାର୍ଡରେ ରୋଗୀ ଥିଲେ ।

ହସ୍ପିଟାଲ କତ୍ତୃର୍ପକ୍ଷ ତୁରନ୍ତ ଏ ନେଇ ପୋଲିସ ଏବଂ ବନ ବିଭାଗକୁ ସୂଚନା ଦେଇଥିଲେ । ହେଲେ ପୋଲିସ ଏବଂ ବନ ବିଭାଗ ଟିମ୍‌ ରେସକ୍ୟୁ ପାଇଁ ପହଞ୍ଚିବା ବେଳକୁ ବାଘଟି ଝରକା ବାଟ ଦେଇ ପାଖ ବୁଦାଳିଆ ଅଞ୍ଚଳକୁ ଖସି ପଳାଇ ଯାଇଥିଲା । ଏହି ଘଟଣା ବିଷୟରେ ଜାଣିବା ପରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଥିଲା ।

ପୂରା ଘଟଣାଟି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି, ଯେଉଁଥିରେ ଏକ କଲରାପତରିଆ ବାଘ ହସ୍ପିଟାଲର ଓ୍ୱାର୍ଡ ଭିତରେ ପଶୁଥିବାର ଦେଖିବାକୁ ମିଳୁଛି । ଏହି ଘଟଣା ଜୟପୁରର ଚୌମୁ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲର ବୋଲି କୁହାଯାଉଛି । ବିଳମ୍ବିତ ରାତି ପ୍ରାୟ ୨ଟାରେ କେଉଁଆଡୁ ଏକ କଲରାପତରିଆ ବାଘ ହସ୍ପିଟାଲ ଭିତରକୁ ପଶି ଆସିଥିଲା ।

ଖବର ପାଇ ଚୌମୁ ଥାନା ଏସ୍‌ଏଚ୍‌ଓ ପ୍ରଦୀପ ଶର୍ମା ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ସହିତ ରେସକ୍ୟୁ ପାଇଁ ବନ ଅଧିକାରୀମାନଙ୍କୁ ମଧ୍ୟ ଡକାଯାଇଥିଲା । ହେଲେ ଏହାରି ଭିତରେ ବାଘଟି ସେଠାରୁ ଝରକା ଦେଇ ଖସି ପଳାଇ ଯାଇଥିଲା । ଅଧିକାରୀମାନେ ବାଘକୁ ଖୋଜାଖୋଜି କରିଥିଲେ ମଧ୍ୟ ତାହାର କୌଣସି ସନ୍ଧାନ ମିଳି ନ ଥିଲା । ଏମିତି ସ୍ଥିତିରେ ଅଧିକାରୀମାନେ ଲୋକଙ୍କୁ ସୁରକ୍ଷିତ ତଥା ବାଘଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ବାଘ ଧରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like