ପୁଣି ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ନାଁରେ ମିଳିଲା ଧମକ, ଥାନାରେ ଅଭିଯୋଗ କଲେ ପିଏ

ବିହାରର ପୂର୍ଣ୍ଣିଆରୁ ଲୋକସଭା ସାଂସଦ ପପୁ ଯାଦବଙ୍କୁ ପୁଣି ଥରେ ଧମକ ମିଳିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ଏହି ଧମକ ଦେଇଛି । ପପୁ ଯାଦବଙ୍କ ଅଫିସକୁ ଧମକପୂର୍ଣ୍ଣ ମେସେଜ ଓ କଲ୍ ଆସିଛି । ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ୨ଟା ଏବଂ ପୁଣି ପରଦିନ ସକାଳ ୧୦ଟା ବେଳେ ସାଂସଦଙ୍କ ପିଏଙ୍କୁ ଧମକଭରା କଲ୍ ଆସିଥିଲା । ଏ ନେଇ ସେ ପୋଲିସରେ ମାମଲା ପଞ୍ଜିକୃତ କରାଇଛନ୍ତି ।

ପିଏ କହିଛନ୍ତି ଯେ ସାଂସଦଙ୍କୁ ହ୍ୱାଟସଆପରେ ଧମକ ଦିଆଯାଇଛି । ସେ ହ୍ୱାଟସଆପ ଚାଟର ସ୍କ୍ରିନଶଟ୍ ମଧ୍ୟ ସେୟାର କରିଛନ୍ତ, ଯାହାକି ଖୁବ୍ ଭାଇରାଲ ହେଉଛି । ମେସେଜ ଓ କଲ୍ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି ।

କିଛି ଦିନ ତଳେ ପପୁ ଯାଦବଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା । ଏହା ପୂର୍ବରୁ ସେ ଲରେନ୍ସ ଗ୍ୟାଙ୍ଗ ଦ୍ଵାରା ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମିଳିଥିବା ଧମକକୁ ନେଇ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ସେ ଲରେନ୍ସ ଗ୍ୟାଙ୍ଗକୁ ଚ୍ୟାଲେଞ୍ଜ କରି ତାଙ୍କ ନେଟୱାର୍କକୁ ୨୪ ଘଣ୍ଟା ମଧ୍ୟରେ ଶେଷ କରି ଦେବା କଥା କହିଥିଲେ । ଏହାର କିଛି ଦିନ ପରେ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା ।

ତାଙ୍କୁ ଧମକ ମିଳିବା ପରେ ସେ ନିଜ ପାଇଁ ସୁରକ୍ଷା ବଢ଼ାଇବାକୁ କେନ୍ଦ୍ରକୁ ଦାବି କରିଥିଲେ । ପପୁ ଯାଦବଙ୍କୁ ଏବେ ‘ୱାଇ’ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି, କିନ୍ତୁ ସେ ବର୍ତ୍ତମାନ ‘ଜେଡ୍’ ବର୍ଗର ସୁରକ୍ଷା ଚାହୁଁଛନ୍ତି । ପରେ ପୋଲିସ ପପୁ ଯାଦବଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ କହିଥିଲା ଯେ ଗିରଫ ଅଭିଯୁକ୍ତ ହେଲେ ମହେଶ ପାଣ୍ଡେ । ତାଙ୍କର ଲରେନ୍ସ ବିଷ୍ଣୋଇ କିମ୍ବା ତାଙ୍କ ଗ୍ୟାଙ୍ଗ ସହ କୌଣସି ସମ୍ପର୍କ ନାହିଁ ।

You might also like