ଲରେନ୍ସ ଗ୍ୟାଙ୍ଗରୁ ଧମକ ପରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ପପୁ ଯାଦବ, ‘Z’ ବର୍ଗର ସୁରକ୍ଷା ଦେବାକୁ ଦାବି

ବିହାରର ପୂର୍ଣ୍ଣିଆରୁ ସାଂସଦ ରାଜେଶ ରଞ୍ଜନ ଓରଫ୍ ପପୁ ଯାଦବଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତାଙ୍କୁ ଏହି ଧମକ ଦେଇଛି । ପପୁ ଯାଦବ ଏ ସମ୍ପର୍କରେ ବିହାର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ଘଟଣା ବିଷୟରେ ଜଣାଇଛନ୍ତି ।

ଗୃହ ମନ୍ତ୍ରଣାଳୟକୁ ‘Z’ ବର୍ଗର ସୁରକ୍ଷା ଦେବାକୁ ଦାବି କରିଛନ୍ତି ପପୁ ଯାଦବ । ସେ କହିଛନ୍ତି, ମୋତେ ବର୍ତ୍ତମାନ ‘Y’ ବର୍ଗର ସୁରକ୍ଷା ଦିଆଯାଉଛି । କିନ୍ତୁ ଲଗାତାର ଧମକ ଯୋଗୁ ଜୀବନ ବିପଦରେ ଅଛି । ଯଦି ସିକ୍ୟୁରିଟି ବଢ଼ା ନ ଯିବ, ତେବେ କେତେବେଳେ ବି ମୋର ହତ୍ୟା ହୋଇପାରେ ।

ପପୁ କହିଛନ୍ତି, ମୋତେ ଲରେନ୍ସ ଗ୍ୟାଙ୍ଗରୁ ଧମକ ମିଳୁଛି । ମୋର ହତ୍ୟା ହୋଇଗଲେ ସରକାର ଏଥିପାଇଁ ଦାୟୀ ହେବେ । ପପୁ ପ୍ରତ୍ୟେକ ଜିଲ୍ଲାରେ ନିଜ ପାଇଁ ପୋଲିସ ଏସ୍କର୍ଟ ଏବଂ କାର୍ଯ୍ୟକ୍ରମ ସ୍ଥଳରେ କଡ଼ା ସୁରକ୍ଷା ଦାବି କରିଛନ୍ତି ।

ତାଙ୍କର କହିବା ହେଉଛି, ଦେଶରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଲଗାତାର ଘଟଣା ଘଟାଇ ଚାଲିଛି । ମୁଁ ରାଜନୈତିକ ବ୍ୟକ୍ତି ହିସାବରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ବିରୋଧ କରିଥିଲି । ଏହି କାରଣରୁ ଗ୍ୟାଙ୍ଗର ମୁଖ୍ୟ ମୋତେ ଜୀବନରୁ ମାରିଦେବାକୁ ମୋବାଇଲରେ ଧମକ ଦେଇଛନ୍ତି । କିନ୍ତୁ ସରକାର ସୁରକ୍ଷା ପ୍ରତି ନିଷ୍କ୍ରିୟ ରହିଛନ୍ତି । ଲାଗୁଛି, ମୋ ହତ୍ୟା ପରେ ହିଁ ଲୋକସଭା ଓ ବିଧାନସଭାରେ ଶୋକବ୍ୟକ୍ତ କରିବା ପାଇଁ ସରକାର ସକ୍ରିୟ ହେବେ ।

ପପୁ ଯାଦବ ଚିଠିରେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ବି ମୋତେ ଏବଂ ମୋ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଛି । ଅନେକ ବାର ନେପାଳର ମାଓବାଦୀ ସଙ୍ଗଠନ ସମେତ ଜାତିବାଦୀ ଅପରାଧୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଈଶ୍ୱରଙ୍କ କୃପାରୁ ମୁଁ ଉଦ୍ଧାର ପାଇଛି ।

You might also like