କାଲିଠୁ ପାର୍ଲ୍ୟାମେଣ୍ଟ ଅଧିବେଶନ,୨୩ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ: କାଲିଠୁ ପାର୍ଲ୍ୟାମେଣ୍ଟ ବଜେଟ ଅଧିବେଶନ । ୨୩ ତାରିଖରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦିଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ। ବଜେଟ ଉପସ୍ଥାପନ ପୂର୍ବରୁ ଆସନ୍ତାକାଲି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ । ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ବିରୋଧୀଙ୍କ ସହଯୋଗା ଲୋଡ଼ିବେ। ତେବେ ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ରଣନୀତି ତୟାରି କରିଛନ୍ତି ବିରୋଧୀ । ନିଟ୍ ୟୁଜି ପରୀକ୍ଷା ଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି ପର୍ଯ୍ୟନ୍ତ ବିଭିନ୍ନ ତାଜା ପ୍ରସଙ୍ଗ ରହିଛି ବିରୋଧୀଙ୍କ ହାତରେ ।
ଅନ୍ୟପଟେ ଏହି ବଜେଟରୁ କେଉଁ ରାଜ୍ୟକୁ କଣ ମିଳିବ ତା ଉପରେ ନଜର ରହିଛି । ମେଣ୍ଟ ସରକାର ଗଠନ ବେଳେ ଆନ୍ଧ୍ର ପ୍ରଦେଶ ଏବଂ ବିହାରକୁ ସ୍ବତନ୍ତ୍ର ଦାବି କରିଥିଲେ ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାର । ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ପାଇ ନଥିବାରୁ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତିଶଙ୍କ ଜେଡିୟୁର ଦବଦବା ରହିଛି । ଯେଭଳି ଆନ୍ଧ୍ରକୁ ସର୍ବାଧିକ କେନ୍ଦ୍ରୀୟ ଫାଇଦା ମିଳିବ ତା ଉପରେ ଧ୍ୟାନ ଦେବାକୁ ଟିଡିପି ସାଂସଦମାନଙ୍କୁ କହିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଅନ୍ୟପଟେ ଓଡ଼ିଶା ମଧ୍ୟ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରି ଆସୁଛି। ତେଣୁ ଏହାକୁ ନେଇ ବଜଟେ ଉପରେ ନଜର ରହିବ । ସେହିପରି ଓଡ଼ିଶାକୁ ରେଳ ଅନୁଦାନ କଣ ରହିବ ତା ଉପରେ ନଜର ରହିଛି । ଏଥର ସଂସଦରେ ସ୍ବର ଶାଣିତ କରିବ ବିଜେଡି । କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି । କୋଇଲ ରୟାଲଟି ବୃଦ୍ଧି, ମହାନଦୀ, ରେଳବାଇ, ନିଟ-ୟୁଜି ପରୀକ୍ଷା ବିଭ୍ରାଟ ଆଦି ପ୍ରସଙ୍ଗ ଉଠାଇବ ଦଳ ।