ଉତ୍ତରପ୍ରଦେଶ : ଫ୍ଲାଏଓଭରରୁ ଖସିଲା ଯାତ୍ରୀବାହୀ ବସ୍‌, ଜଣେ ମୃତ, ୨୦ରୁ ଅଧିକ ଗୁରୁତର

ଉତ୍ତରପ୍ରଦେଶ ବରେଲୀ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ ଫ୍ଲାଏଓଭରରୁ ଖସିପଡିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇଁ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଉତ୍ତରପ୍ରଦେଶ ବରେଲୀ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍‌ ଫ୍ଲାଏଓଭରରୁ ଖସିପଡିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇଁ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଦୁର୍ଘଟଣାଟି ୩.୩୦ ମିନିଟରେ ହୋଇଥିଲା । ବସ୍‌ଟି ଦିଲ୍ଲୀରୁ ଫେରୁଥିଲା । ଠିକ୍‌ ସେତିକି ବେଳେ ଅନିୟନ୍ତ୍ରିତ ହୋଇ ବସଟି ଫତେହଗଞ୍ଜ ଥାନା ନିକଟରେ ଏକ ଫ୍ଲାଏଓଭରରୁ ଖସି ପଡିଥିଲା । ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଜିଲ୍ଲାପାଳ ରବିନ୍ଦ୍ର କୁମାର କହିଛନ୍ତି, ମୃତକଙ୍କ ପରିଚୟ ମିଳିଛି । ମେରଠ ନିବାସୀ ପ୍ରେମ କିଶନ(୪୦) । ଆହତଙ୍କୁ ବରେଲୀର ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ଫ୍ଲାଏଓଭରରୁ ଖସି ବସ୍‌ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କିଛି ଯାତ୍ରୀ ଫସିଥିବା ବେଳେ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ହସପିଟାଲକୁ ପଠାଇଥିଲା । ତେବେ ଏହି ଘଟଣା ପରେ ଜିଲ୍ଲାପାଳ ହସପିଟାଲରେ ପହଞ୍ଚି ସମସ୍ତ ଆହତଙ୍କୁ ସାକ୍ଷାତ କରି ସ୍ଥିତି ଜାଣିବା ସହିତ ଯଥାସମ୍ଭବ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ,  ଶୁକ୍ରବାର ବିଳମ୍ବିତ ରାତିରେ ହରିୟାଣାର ନୁହ ଜିଲ୍ଲାରେ କୁଣ୍ଡଲୀ ମାନେସର ପଲଓ୍ବଲ ଏକ୍ସପ୍ରେସ ଓ୍ବେରେ ଏକ ଚଳନ୍ତା ଟୁରିଷ୍ଟ ବସରେ ଅଚାନକ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ସମ୍ପୂର୍ଣ୍ଣ ବସଟି ନିଆଁର କବଳରେ ଆସି ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ୮ ଜଣ ଶ୍ରଦ୍ଧାଳୁ ନିଆଁର କବଳରେ ଆସି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୪ ଜଣ ପୋଡି ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.