VIDEO: ଭଙ୍ଗାରୁଜା ସାମଗ୍ରୀ, ସିଟ୍ ମଝିରୁ ଲୋକଙ୍କ ଚିତ୍କାର…କାଜାଖସ୍ତାନ ବିମାନ ଦୁର୍ଘଟଣାର ଶେଷ ମୁହୂର୍ତ୍ତ ଦେଖନ୍ତୁ

କାଜାଖସ୍ତାନରେ ବୁଧବାର ଅଜରବୈଜାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଭୟାବହ ଦୁର୍ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି । କିନ୍ତୁ କ୍ୟାବିନ୍ ଭିତରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ବିମାନରେ ଥିବା ଜଣେ ଯାତ୍ରୀ ଏହି ଭିଡିଓ ରେକର୍ଡ କରିଥିଲେ ।

ସୋସିଆଲ ମିଡିଆରେ ବହୁଳ ସେୟାର କରାଯାଇଥିବା ଏହି ଦୁଃଖଦ ଭିଡିଓରେ ବିମାନର ଶେଷ ମୁହୂର୍ତ୍ତକୁ ଦେଖାଯାଇଛି । ବିମାନଟି ତଳକୁ ଖସିବା ସମୟରେ ଜଣେ ଯାତ୍ରୀ ‘ଆଲ୍ଲାହୁ ଆକବର’ କହୁଥିବାର ଶୁଣାଯାଉଛି । ହଳଦିଆ ଅକ୍ସିଜେନ୍ ମାସ୍କଗୁଡ଼ିକ ସିଟ୍ ଉପରେ ଝୁଲୁଛି । ବିମାନ ଭିତରେ ଯାତ୍ରୀମାନଙ୍କ କ୍ରନ୍ଦନ ଏବଂ ଚିତ୍କାର ଶୁଣିବାକୁ ମିଳୁଛି ।

ବିମାନଟି ଅଜରବୈଜାନ ରାଜଧାନୀ ବାକୁରୁ ଦକ୍ଷିଣ ରୁଷର ଚେଚନ୍ୟାର ଗ୍ରୋଜନୀ ସହରକୁ ଉଡ଼ାଣ ଭରିଥିଲା । ଗତକାଲି କାସପିୟାନ୍ ସାଗରର ପୂର୍ବ ତଟରେ ଥିବା ତୈଳ ଓ ଗ୍ୟାସ୍ ହବ୍ ଅକତାଉ ନିକଟରେ ବିମାନ କ୍ରାସ୍ ହୋଇଥିଲା । ଏୟାରଲାଇନ୍ସ କହିଛି ଯେ ବିମାନଟି ଅକତାଉଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଜରୁରୀ ଅବତରଣ କରିଥିଲା ।

କ୍ୟାବିନ ଭିତରେ ରେକର୍ଡ ହୋଇଥିବା ଆଉ ଏକ ଭିଡିଓରେ ବିମାନର ସିଲିଂ ପ୍ୟାନେଲରେ ରିଡିଙ୍ଗ୍ ଲାଇଟ୍ ଏବଂ ଏୟାର ବ୍ଲୋୟର ଓଲଟା ରହିଥିବାର ଦେଖିବାକୁ ମିଳିଛି । ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି । ଭିଡିଓଟି ଦୁର୍ଘଟଣା ବେଳର ବୋଲି ସ୍ପଷ୍ଟ ହୋଇଛି ।

ସେପଟେ ଅଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭ ଏହି ଭୟଙ୍କର ବିମାନ ଦୁର୍ଘଟଣାକୁ ନେଇ ଆଜି ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହା ସହିତ କମନୱେଲଥ୍ ଅଫ୍ ଇଣ୍ଡିପେଣ୍ଡେଣ୍ଟ୍ ଷ୍ଟେଟ୍ସ (CIS)ର ନେତାମାନଙ୍କ ଶିଖର ସମ୍ମିଳନୀ ପାଇଁ ନିଜର ଯୋଜନାବଦ୍ଧ ରୁଷ୍ ଗସ୍ତକୁ ବାତିଲ କରିଛନ୍ତି ।

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଅଲିୟେଭଙ୍କ ସହ ଫୋନରେ ବାର୍ତ୍ତାଳାପ କରିବା ସହିତ ଦୁର୍ଘଟଣାକୁ ନେଇ ସମବେଦନା ଜଣାଇଛନ୍ତି ।